ଆଇସିସିକୁ ଏମିତି ଚିଠି ଲେଖିଲା ପିସିବି, କହିଲା ଯଦି ଭାରତ ନଆସେ ତାହେଲେ..
ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ଗଣମାଧ୍ୟମରେ ଥମିବାର ନାଁ ନେଉନି ଚର୍ଚ୍ଚା । ପାକିସ୍ତାନ ଏହି ଟୁର୍ଣ୍ଣମେଣ୍ଟ ଆୟୋଜନ କରୁଥିବାବେଳେ ଭାରତ ଯିବାକୁ ସିଧାସଳଖ ମନା କରି ଦେଇଛି । ତେବେ ହାଇବ୍ରିଡ୍ ମଡେଲରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଅନୁମାନ କରାଯାଉଛି । ମାତ୍ର ଏହାରିଭିତରେ ପିସିବି ପକ୍ଷରୁ ଆଇସିସିକୁ ଚିଠି ଲେଖାଯାଇଛି । ଯେଉଁଥିରେ ପିସିବି ପକ୍ଷରୁ କୁହାଯାଇଛି କି, ଭାରତ କାହିଁକି ପାକିସ୍ତାନ ଆସିବା ପାଇଁ ଚାହୁଁନାହିଁ ? ଆଉ ଏବେ ଯଦି ସ୍ଥାନ ପରିବର୍ତ୍ତନ କରାଯାଇ ପାକିସ୍ତାନ ବଦଳରେ ଅନ୍ୟ କେଉଁଠି ମ୍ୟାଚ୍ ଅନୁଷ୍ଠିତ ହୁଏ ତାହେଲେ ଚାମ୍ପିୟନ୍ସ ଟ୍ରଫିକୁ ବୟକଟ୍ କରିବ ପାକିସ୍ତାନ । ଏଭଳି ପାକିସ୍ତାନ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି ।
ତେବେ ଏକ ଜାତୀୟ ଗଣମାଧ୍ୟମରୁ ରିପୋର୍ଟକୁ ଯଦି ବିଶ୍ବାସ କରାଯାଏ ତାହେଲେ କୁହାଯାଉଛି କି, ଚଳିତ ଚାମ୍ପିୟନ୍ସ ଟ୍ରଫି ଦକ୍ଷିଣ ଆଫ୍ରିକାରେ ଖେଳାଯାଇପାରେ । ମାତ୍ର ଏହା ଏହଯାବତ ସ୍ପଷ୍ଠ ହୋଇନାହିଁ । ସେପଟେ ପାକିସ୍ତାନ ପକ୍ଷରୁ କୁହାଯାଇଛି କି, ଯଦି ଭାରତ ପାକିସ୍ତାନ ଆସିବା ପାଇଁ ଚାହୁଁନାହିଁ, ତାହେଲେ ଭାରତ ସ୍ଥାନରେ ଶ୍ରୀଲଙ୍କାକୁ ସୁଯୋଗ ଦିଆଯାଉ । ମାତ୍ର ହାଇବ୍ରିଡ୍ ମଡେଲରେ ଆୟୋଜନକୁ ମଧ୍ୟ ପାକିସ୍ତାନ ଏକପ୍ରକାର ମନା କରିଛି । କୁହାଯାଉଥିଲା କି, ଭାରତର ମ୍ୟାଚ ଗୁଡ଼ିକ ପାକିସ୍ତାନ ବାହାରେ ଖେଳାଯିବ । କିନ୍ତୁ ପାକିସ୍ତାନ ସିଧାସଳଖ ଭାରତ ସହ ଖେଳିବାକୁ ମଧ୍ୟ ମନା କରି ଦେଇଛି ।