୩ ଦିନ ହେଲାଣି ଅଚଳ ଭୁବନେଶ୍ବର ମୁଖ୍ୟ ଡାକଘର : କାମ କରୁନି ସର୍ଭର

ଭୁବନେଶ୍ବର : ଭୁବନେଶ୍ବର ମୁଖ୍ୟ ଡାକଘରେ ଲିଙ୍କ ଫେଲ । ଫେରିବାକୁ ବାଧ୍ୟ ହେଉଛନ୍ତି ଲୋକ ।  ଦିନେ କି ଦୁଇଦିନ ନୁହେଁ । ୩ ଦିନ ହେଲାଣି କାମ କରୁନି ସର୍ଭର । ହେଲେ ନିହଲ କର୍ତ୍ତୃପକ୍ଷ । ଫଳରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଗ୍ରାହକ । ଜମାକାରୀ ଟଙ୍କା ଜମା କରିପାରୁନାହାନ୍ତି । ସେପଟେ ଟଙ୍କା ବି ଉଠାଇପାରୁନାହାନ୍ତି । ଦୂର ଦୂରାନ୍ତରୁ ଆସୁଥିବା ଜମାକାରୀ ହଇରାଣ ହରକତ ହୋଇ ଫେରୁଛନ୍ତି । ସେପଟେ ପୋଷ୍ଟାଲ୍ ଏଜେଣ୍ଟ୍ମାନେ ମଧ୍ୟ ହାତବାନ୍ଧି ବସିଛନ୍ତି । କିଏ ମାସିକିଆ ଜମା କରିପାରୁନି ତ ଆଉ କିଏ କଷ୍ଟାର୍ଜିତ ଜମା ଉପରେ ମାସିକିଆ ସୁଧ ପାଇପାରୁନି । ପେନ୍ସନ୍ଭୋଗୀ ବି ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଛନ୍ତି  ।

ମୁଖ୍ୟ ଡାକଘରେ ନାହିଁ ଲିଙ୍କ । ଗ୍ରାହକଙ୍କୁ ରାମ ଭରୋସେ ଛାଡ଼ି ଦେଇଛନ୍ତି ପୋଷ୍ଟାଲ କର୍ତ୍ତୃପକ୍ଷ ।  ଲିଙ୍କ ଫେଲ୍ ବୋଲି ବୋର୍ଡ଼ ମାରିଦେଇ ବସିଛନ୍ତି ପୋଷ୍ଟାଲ୍ ଅଧିକାରୀ ।  କର୍ତ୍ତୃପକ୍ଷଙ୍କ କହିବା କଥା ଏପରି ସମସ୍ୟା ଇଣ୍ଟରନେଟ୍ ଫେଲ୍ ଯୋଗୁ ହୋଇଛି । ଦେଶର ମୁଖ୍ୟ ଡାକଘରଗୁଡ଼ିକ ଏବେ ଏହି ସମସ୍ୟା ଭୋଗୁଛନ୍ତି । କାମ ଚାଲିଛି ହେଲେ କେତେବେଳେ ଲିଙ୍କ ଆସିବ କହିହେବନି ବୋଲି କହିଛନ୍ତି କର୍ତ୍ତୃପକ୍ଷ । ଯଦି  ମୁଖ୍ୟ ଡାକଘରର ଏପରି ଅବସ୍ଥା ତାହେଲେ ଅନ୍ୟ ପୋଷ୍ଟ ଅଫିସ କଥା କଣ ହୋଇଥିବା ତାହା ବେଶ୍ ଜଣାପଡୁଛି ।