ନିର୍ମାଣ ହେବାକୁ ଯାଉଛି ୭୮୩ କିମି ବିଶିଷ୍ଟ ଏକ୍ସପ୍ରେସ ଓ୍ବେ
ଭୁବନେଶ୍ବର : ଓଡ଼ିଶା ପରିବହନ ଓ ଯୋଗାଯୋଗ କ୍ଷେତ୍ରରେ ଯୋଡି ହେବ ଆଉ ଏକ ମାଇଲ ଖୁଣ୍ଟ । ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ୭୮୩ କିମି ବିଶିଷ୍ଟ ଏକ୍ସପ୍ରେସ ଓ୍ବେ । ଏହି ନୂଆ ଏକ୍ସପ୍ରେସ ଓ୍ବେ ଖଡଗପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ନିର୍ମାଣ କରାଯିବ । ୪ ଲେନ ଓ ୬ ଲେନ ବିଶିଷ୍ଟ ଏହି ରାସ୍ତାର ଡିପିଆର ପ୍ରସ୍ତୁତି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଟେଣ୍ଡର ଆହ୍ବାନ କରିଛନ୍ତି । ଖୁସିର କଥା ହେଲା ୧୮ଟି ସଂସ୍ଥା ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଆସନ୍ତା ୨୦୨୬ ସୁଦ୍ଧା ଏହି ପ୍ରକଳ୍ପର ଡିପିଆର ପ୍ରସ୍ତୁତ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ୭୮୩ ବିଶିଷ୍ଟ ଏହି ସୁଦୀର୍ଘ ରାସ୍ତା ୨ଟି ପ୍ୟାକେଜରେ ବିଭକ୍ତ କରାଯାଇଛି । ପ୍ୟାକେଜ ୧ ରେ ଖଡ଼ଗପୁରରୁ ଟାଙ୍ଗୀ ପର୍ଯ୍ୟନ୍ତ ୩୯୦ କମି ରାସ୍ତା ନିର୍ମାଣ ହେବାକୁ ଥିବା ବେଳେ ପ୍ୟାକେଜ ୨ ରେ ଟାଙ୍ଗୀରୁ ବିଶାଖାପାଟଣା ପର୍ଯ୍ୟନ୍ତ ୩୯୩ କିମି ରାସ୍ତା ନିର୍ମାଣ ହେବ । ଡିପିଆର ପ୍ରସ୍ତୁତି ପରେ ବିଭିନ୍ନ ଅନୁମିତି ପାଇଁ ଆବେଦନ କରାଯିବା । ୨୦୨୮ ସୁଦ୍ଧା ପ୍ରକଳ୍ପ କାମ ଆରମ୍ଭ ହେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଏକ୍ସପ୍ରେସ ଓ୍ବେ ନିର୍ମାଣ ହେଲେ ଖଡଗପୁରରୁ ବିଶାଖାପାଟଣାକୁ ଯାତ୍ରାର ସମୟ ହ୍ରାସ ପାଇବ । ଏହା ସହ ଯାନବାହାନ ଜନିତ ଭିଡ ନିୟନ୍ତ୍ରଣ ହେବ ବୋଲି କୁହାଯାଉଛି । ଭାରତମାଳା ଯୋଜନାରେ ନିର୍ମାଣ କରାଯିବାକୁ ଥିବା ଏହି ଏକ୍ସପ୍ରେସ ୱେ ଓଡିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗକୁ ଯୋଡିବ ।