ଭାରତ-ଦକ୍ଷିଣ ଆଫ୍ରିକା ମଧ୍ଯରେ ହେବ ଘମାଘୋଟ ଲଢେଇ

1 min read

ଡରବନ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ଯରେ ଆଜି ହେବ ଘମାଘୋଟ ଲଢେଇ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ଯରେ ଖେଳାଯିବାକୁ ଥିବା ୪ ମ୍ଯାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଡରବନରେ ଆଜି ଖେଳାଯିବ । ଭାରତୀୟ ସମୟ ରାତି ୮ ଟାରେ ପରସ୍ପର ମୁହାମୁହିଁ ହେବେ ଟିମ୍ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ଦଳ । ମ୍ଯାଚ ପୂର୍ବରୁ ଟସ ପାଇଁ ଉଭୟ ଦଳର ଅଧିନାୟକ ଅଧାଘଣ୍ଟା ପୂର୍ବରୁ ପଡିଆରେ ଓହ୍ଲାଇବେ । ଉଭୟ ଦଳର ଅଧିନାୟକ ଟସ୍ ଜିତିବା ପାଇଁ ପ୍ରୟାସ କରିବେ । କାରଣ ଡରବନରେ ପାଣିପାଗ ଆଜି ଖରାପ ରହିବାର ଆଶଙ୍କା ରହିଛି । ଫଳରେ ଏହି ପ୍ରଥମ ଟି-୨୦ ମୁକାବିଲାରେ ଟସ ବେଶ୍ ଗୁରୁତ୍ତ୍ୱ ବହନ କରିପାରେ । ଯିଏ ଟସ ଜିତିବ ସେ ପ୍ରଥମେ ବ୍ଯାଟିଂ କରିବାର ନିଷ୍ପତ୍ତି ନେବା ଥୟ । କାରଣ ମ୍ଯାଚ ଯଦି ଡିଏଲଏସ  ଆଡକୁ ଯାଏ, ତେବେ ଚେଜ କରୁଥିବା ଦଳକୁ ସ୍କୋର ଉପରେ ନଜର ରହିପାରିବ । ତଦନୁଯାୟୀ ଦଳ ଖେଳିପାରିବ । ଟି-୨୦ ବିଶ୍ୱକପ ଫାଇନାଲ ପରେ ଏହା ଭାରତ-ଦକ୍ଷିଣ ଆଫ୍ରିକା ମଧ୍ଯରେ ପ୍ରଥମ ଲଢେଇ ହେବ । ଟିମ୍ ଇଣ୍ଡିଆ ସାଉଥ ଆଫ୍ରିକାକୁ ହରାଇ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ ଉପରେ ନିଜର କବଜା ଜାହିର କରିଥିଲା । ଆଫ୍ରିକୀୟ ମାଟିରେ ସୂର୍ଯ୍ୟକୁମାର ଯାଦବଙ୍କ ଦଳ ପାଇଁ ଏହା କୌଣସି ବଡ ଆହ୍ୱାନଠୁ କମ୍ ହେବନି । ଡରବନ ହେଉଛି ସାଉଥ ଆଫ୍ରିକାର ସବୁଠୁ ଧିମା ପିଚ୍ । ଧିମା ହେବା ଫଳରେ ତାହାର ଉଦ୍ଦେଶ୍ଯ ଏହା ନୁହେଁ ଯେ, ଏହା ଉପମହାଦ୍ୱିପୀୟ ପିଚ ଭଳି ହେବ । ଡରବନ ପିଚରେ ବର୍ଷା ହେବାର ମଧ୍ଯ ଏକ ଦୁ୍ଃଖ ରହିଛି । ଯାହା ଉଭୟ ଦଳ ପାଇଁ କାଳ ସାଜି ପାରିବ । ଭାରତ- ଦକ୍ଷିଣ ଆଫ୍ରିକା ମଧ୍ଯରେ ଖେଳାଯିବାକୁ ଥିବା ଏହି ପ୍ରଥମ ଟି-୨୦ ମ୍ଯାଚରେ ଟସ ସବୁଠୁ ବେଶୀ ଗୁରୁତ୍ତ୍ୱ ରଖିବ । କାରଣ ଏଠାରେ ଆଜି ବର୍ଷା ହେବାର ସମ୍ଭାବନା ଅଧିକ । ପ୍ରଥମେ ବ୍ଯାଟିଂ କରୁଥିବା ଦଳ ପାଇଁ ଏଠାରେ ହାରାହାରି ସ୍କୋର ରହିଛି ମୋଟ ୧୩୬ ରନ । ଡରବନରେ ମୋଟ ୧୮ ଟି-୨୦ ମ୍ଯାଚ ଖେଳାଯାଇଛି । ଯେଉଁଥିରୁ ପ୍ରଥମେ ବ୍ଯାଟିଂ କରୁଥିବା ଦଳ ପ୍ରାୟ ୯ ଟି ( ୪୫ ପ୍ରତିଶତ ) ମ୍ଯାଚ ଜିତିଛି । ସେହିଭଳି ପ୍ରଥମେ ବୋଲିଂ କରୁଥିବା ଦଳ ଏଠାରେ ୮ ଟି ( ୪୦ ପ୍ରତିଶତ) ମ୍ଯାଚ ଜିତିଛି । ଟସ ହାରିଥିବା ଦଳ ଡରବନରେ ପ୍ରାୟ ୯ଟି ମ୍ଯାଚରେ ବିଜୟୀ ହୋଇଛି, ମାନେ ପ୍ରାୟ ୪୫ ପ୍ରତିଶତ ବିଜୟ ରହିଛି ।  ଡରବନ ପଡିଆରେ ଅଧିକତମ ସ୍କୋର ୨୨୬/୬ ଥିବାବେଳେ ନିମ୍ନତମ ସ୍କୋର ୭୩ ରହିଛି । ସେହିଭଳି ହାଇଏଷ୍ଟ ସ୍କୋର ଇନ ଚେଜ ରହିଛି ଏହି ପଡିଆରେ ୧୯୧/୫ ଓ ପ୍ରଥମେ ବ୍ଯାଟିଂ କରି ଏହି ପଡିଆରେ ହାରାହାରି ସ୍କୋର ୧୩୬ ଅଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ଯରେ ୨୭ ଟି ଟି-୨୦ ମ୍ଯାଚ ଖେଳାଯାଇଛି । ଯେଉଁଥିରେ ଭାରତ ୧୫ ଟି ମ୍ଯାଚ ଜିତି ନିଜର ଦବଦବା ଜାହିର କରିଛି । ସେପଟେ ସାଉଥ ଆଫ୍ରିକା ୧୧ ଟି ମ୍ଯାଚରେ ବିଜୟୀ ହୋଇଛି । ଗୋଟିଏ ମ୍ଯାଚରେ କୌଣସି ଫଳାଫଳ ଆସି ପାରି ନାହିଁ ।