ଲାପ୍ରୋସ୍କୋପିକ୍ ସର୍ଜନ ଡାକ୍ତର ଶ୍ରୀଜୟ ପଟ୍ଟନାୟକ ଓଡ଼ିଶାକୁ ଆଣିଲେ ରୋବଟ୍ ଚିକିତ୍ସା

କଟକ: ଅପରେସନ ଥିଏଟରରେ ରୋବୋଟ । ଡାକ୍ତର ନୁହେଁ, ରୋବୋଟ୍ କରୁଛନ୍ତି ଅସ୍ତ୍ରୋପଚାର । ଆଜି ପର୍ଯ୍ୟନ୍ତ ଡାକ୍ତର ଓ ସହଯୋଗୀ ସିଧାସଳଖ ଯୋଡ଼ି ହେଉଥିଲେ । ଏହି ପକ୍ରିୟାରେ ଏବେ ଏହି କାମ କରିଦେଖାଉଛି ମଣିଷ ତିଆରି ରୋବଟ୍ । ଡାକ୍ତରଙ୍କ ନିର୍ଦ୍ଦେଶରେ ରୋବଟ୍ କରୁଛି ସର୍ଜରୀ । ରୋବଟ୍ ମାଧ୍ୟମରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରିଛନ୍ତି ଜଣାଶୁଣା ଲାପ୍ରୋସ୍କୋପିକ୍ ସର୍ଜନ ଡାକ୍ତର ଶ୍ରୀଜୟ ପଟ୍ଟନାୟକ ।

୩ଟି ରୋବଟ୍ ଡାକ୍ତରଙ୍କ ଇସାରାରେ କରୁଛନ୍ତି ହାର୍ନିଆ ଅପରେସନ । ଜଣେ କ୍ୟାମେରା ପରିଚାଳନା କରୁଛି ତ ଆଉ ୨ ଜଣ ଶରୀର ଅଣ୍ଡକୋଷରେ ଥିବା ହାର୍ନିଆ ଉପରରେ ଜାଲି ପକାଇ ସିଲାଇ କରୁଛନ୍ତି । ଡାକ୍ତର ଓଟିରେ ବସି ଦୁଇଟି ବଟମ ମାଧ୍ୟମରେ ସଂଚାଳନ କରୁଛନ୍ତି ସବୁ କିଛି । ଯେଉଁ ସର୍ଜରୀ ୫ରୁ ୬ଘଣ୍ଟା ସମୟ ନେବା କଥା ତାହା ୧ ଘଣ୍ଟା ମଧ୍ୟରେ ରୋବଟ୍ କରି ଦେଖାଉଛି । ଏହି ସର୍ଜରୀରେ ନା ରକ୍ତ ଶ୍ରାବ ହେବ ନା ଯନ୍ତ୍ରଣା । ରୋଗୀ ସର୍ଜରୀର ଦିନେ ଦୁଇ ଦିନ ମାଧ୍ୟରେ ଭଲ ହୋଇ ଘରକୁ ଯିବ । ଆଜିର ଦିନରେ ଏ ହେଉଛି ଚିକିତ୍ସା ବିଜ୍ଞାନର ଚମତ୍କାରିତା ବୋଲି କହନ୍ତି ଡାକ୍ତର ।

ବିଶେଷଜ୍ଞଙ୍କ ମତରେ ଶରୀରରେ ଦେଖାଦେଉଥିବା ବିଭିନ୍ନ ପ୍ରକାର କର୍କଟ ରୋଗ, ହାର୍ନିଆ, ଷ୍ଟୋନ ଆଦି ପାଇଁ ଏହି ସର୍ଜରୀ ଏବେ ସହଜ ହୋଇଛି । ଧୀରେ ଧୀରେ ଏହି ପକ୍ରିୟାକୁ ସମସ୍ତେ ଗ୍ରହଣ କରିବା ସହିତ ୨୦୩୦ ବେଳକୁ ଶତକଡା ୯୦ ଭାଗ ସର୍ଜରୀ ରୋବଟ୍ କରିବ ବୋଲି ଡାକ୍ତର ଦାବି କରିଛନ୍ତି । ସେପଟେ ଏହି ସର୍ଜରୀ କରାଉଥିବା ଓ କରାଇ ସାରିଥିବା ଦୁଇ ଜଣ ରୋଗୀଙ୍କ ସମ୍ପର୍କୀୟ ରୋବଟ୍ ସର୍ଜରୀ ସଫଳତାକୁ ନେଇ ବେଶ ଆଶାବାଦୀ । ପୂର୍ବରୁ ସେମାନେ ଏହି ସର୍ଜରୀ ସମ୍ପର୍କରେ ଶୁଣିଥିଲେ । ତେବେ ଯନ୍ତ୍ର ମଣିଷର କରାମତି ଦେଖି ସେମାନେ ଯେତିକି ଆଶ୍ଚର୍ଯ୍ୟ ସେତିକି ଆଶ୍ୱସ୍ତ ବୋଲି କହିଛନ୍ତି ।

ସମୟ ବଦଳିବା ସହିତ ଚିକିତ୍ସା ବିଜ୍ଞାନରେ ଆସିଛି ନୂଆ ପରିବର୍ତ୍ତନ । ମଣିଷ ତିଆରି କରିଥିବା ଯନ୍ତ୍ରରେ ମଣିଷ ପାଉଛି ଚିକିତ୍ସା । ଓଡ଼ିଶାରେ ପ୍ରଥମ କରି ରୋବଟ୍ ମାଧ୍ୟମରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରି ଚର୍ଚ୍ଚାରେ କଟକର ଲାପ୍ରୋସ୍କୋପିକ ସର୍ଜନ ଡାକ୍ତର ଶ୍ରୀଜୟ ପଟ୍ଟନାୟକ ।