ରୋଗୀଙ୍କ ପ୍ରେସକ୍ରିପସନ ଚିରି ଦେବା ସହ ମାଡ଼ କାରିବାକୁ ଡାକ୍ତରଙ୍କ ଧମକ !

ବୌଦ୍ଧ: ଚିକିତ୍ସା ପାଇଁ ରୋଗୀ ଡାକ୍ତରଖାନା ଆସିଥିଲେ । ଡାକ୍ତର ଚିକିତ୍ସା କରିବେ କ’ଣ ରୋଗୀଙ୍କ ପ୍ରେସକ୍ରିପସନ ଚିରି ଦେବା ସହ ତାଙ୍କୁ ମାଡ଼ ମାରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଡାକ୍ତରଖାନାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ଘଟିଛି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ।

ଅଭିଯୋଗ ଅନୁସାରେ, ୩ ଦିନ ତଳେ ବଗିଚା ସାହିର ୬୦ ବର୍ଷ ବୟସ୍କ ସନ୍ତୋଷ ପଟ୍ଟନାୟକଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ରେ ସେ ଡିସଚାର୍ଜ ହୋଇ ଘରକୁ ଯାଇଥିଲେ । ଗତ ୫ ତାରିଖ ରାତିରେ ପୁଣି ଥରେ ତାଙ୍କ ଦେହ ହଠାତ ଅସୁସ୍ଥ ହୋଇଯାଇଥିଲା । ତେଣୁ ପରିବାର ଲୋକେ ତାଙ୍କୁ ପୁଣି ଥରେ ଡାକ୍ତରଖାନା ନେଇଥିଲେ । ସେଠାରେ ପରିବାର ଲୋକେ ଡାକ୍ତରଙ୍କୁ ବ୍ଲଡ ପ୍ରେସର ଚେକ୍ କରି ଚିକିତ୍ସା କରିବାକୁ ଅନୁରୋଧ କରିଥିଲେ । ଯାହାକୁ ନେଇ ଡାକ୍ତରଙ୍କ ରାଗ ପଞ୍ଚମ ହୋଟାଇଥିଲା ଓ ସେ ପ୍ରେସକ୍ରିପସନ ଚିରି ଦେଇ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ବାଡ଼େଇବାକୁ ଧମକ ଦେଇଥିଲେ । ଏତିକିରେ ଡାକ୍ତର ମହାଶୟ ଅଟକି ନଥିଲେ ।  ସିକ୍ୟୁରିଟିଙ୍କୁ ଡାକି ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ସେଠାରୁ ବାହାରି କରିଦେଇଥିଲେ ।

ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଚାପା ଉତ୍ତେଜନା ଦେଖାଦେଇଥିଲା । ପରେ ଡାକ୍ତରଖାନାର ଅନ୍ୟ ଜଣେ ବରିଷ୍ଠ ଡାକ୍ତର ରୋଗୀଙ୍କ ଚିକିତ୍ସା କରିବାରୁ ସ୍ଥିତି ଶାନ୍ତ ପଡିଥିଲା । ତେବେ ବିଭାଗୀୟ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରୋଗୀଙ୍କ ସମ୍ପର୍କୀୟ ଦାବି କରିଛନ୍ତି ।