ଖାଦ୍ୟ ଅଭାବରୁ ଲୋକେ ଅଖାଦ୍ୟ ଖାଉଛନ୍ତି, ଯୋଗାଣ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ : ବିଜେଡି

1 min read

ଭୁବନେଶ୍ବର : କନ୍ଧମାଳରେ ଘଟିଥିବା ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କଲା ବିଜେଡି । ଏକ ପ୍ରେସମିଟରେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଖାଦ୍ୟ ଚାଉଳ ନ ପହଞ୍ଚିବାରୁ ୮ ପରିବାର ଆମ୍ବ ଟାକୁଆ ଯାଉ ଖାଇଲେ । ଦୁଇ ଜଣଙ୍କ ମୃତ୍ୟୁ ହୋଇଛି  । ୨୦୨୪  ମସିହାରେ ଏପରି ଘଟିବା କଳ୍ପନା ବାହାରେ । ଓଡ଼ିଶାକୁ ଏହା ବିଶ୍ୱରେ ନିନ୍ଦିତ କରିଛି । ଡବଲ ଇଂଜିନ ସରକାର, ବିକାଶ କଥା, ବିଶ୍ୱ ଗୁରୁ ହେବା କଥା କହିବା ବେଳେ ଅନାହାର ମୃତ୍ୟୁ ଗ୍ରହଣୀୟ ନୁହେଁ । ଓଡ଼ିଶାକୁ ସୁନେଲି ସ୍ୱପ୍ନ ଦେଖାଇ ଆସିଲେ ବିଜେପି ସରକାର, ହେଲେ ସେ ମିଛର ସୌଦାଗର । PDS ଚାଉଳ ଗରିବରୁ ଅତି ଗରିବ ଲୋକଙ୍କୁ ଦିଆଯାଇଥାଏ । ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନ ପଟ୍ଟନାୟକ ଅନାହାର ଉପରେ କୁଠାରଘାତ କରାଗଲା । ଚାରି ମାସ ହେବ ସରକାର ବଦଳିଲା, ହେଲେ କଣ ବଦଳିଗଲା ଯେ ଆମ୍ବ ତାକୁଆ ଲୋକ ଖାଇଲେ । ସେ ପୁଣି ଆଦିବାସୀ ଖାଇଲେ । ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ, କେନ୍ଦ୍ର ଆଦିବାସୀ ବିକାଶ ମନ୍ତ୍ରୀ ଓଡ଼ିଆ ଆଦିବାସୀ, ରାଷ୍ଟ୍ରପତି ଓଡ଼ିଆ ଆଦିବାସୀ ଝିଅ, ବିଜେପି ଆଦିବାସୀଙ୍କୁ ଉପରେ ବସାଇ ଦେଖାଇବାକୁ ଚାହିଁଲା ଯେ ଆଦିବାସୀ ତାଙ୍କ ଫୋକସ । ଏମିତି ଛବି ଦେବାକୁ ଚାହିଁଲା ହେଲେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭୋଟ । ଆଦିବାସୀଙ୍କୁ ବ୍ୟବହାର କରି ପ୍ରତୀକକରଣର ରାଜନୀତି କରୁଛି ବିଜେପି । ଲୋକଙ୍କ ସୁବିଧା ଅସୁବିଧା ପାଇଁ ସରକାରଙ୍କ ଦୃଷ୍ଟି ନାହିଁ । ତିନି ମାସ ଭିତରେ ଚାଉଳ ଦେବା ବ୍ୟବସ୍ଥା କିପରି ଭୁସୁଡ଼ିଲା ଏହି ଚାରି ମାସରେ? ଠିକ ସମୟରେ ଚାଉଳ ମିଳିନି । ଅକ୍ଟୋବର ଚାଉଳ ନଭେମ୍ବରରେ ଦିଆଗଲା । ତାହା ବି ମୃତ୍ୟୁ ପରେ । ଏହା ସରକାରଙ୍କ ବିଫଳତା । ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀଙ୍କ ମୁଣ୍ଡରେ ଏହି ଦୋଷ ପଡୁଛି । ଏହି ଅବହେଳା ଅପରାଧିକରଣ । ତେଣୁ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫଦାରୀ ଦାବି କରିଛି ବିଜେଡି । ଲୋକଙ୍କ ପ୍ରତି ସେ ଅବହେଳା କରିଛନ୍ତି । ଖାଦ୍ୟ ପହଞ୍ଚାଇ ପାରିଲେ ନାହିଁ ସରକାର । ଚାଉଳ ନ ଦେଲେ ମାଣ୍ଡିଆ ବାଣ୍ଟିବାର ନିୟମ ଅଛି, ହେଲେ କାହା କଥାରେ ଦିଆଗଲାନି । ଯୋଗାଣ ମନ୍ତ୍ରୀ କେବଳ ରାସନ କାର୍ଡ କାଟିବାର ଭୟ କାହିଁକି ଦେଖାଉଛନ୍ତି ? EKYC ପଛୁଆ ଅଞ୍ଚଳରେ କେମିତି ହେବ ଯେଉଁଠି ଇଣ୍ଟରନେଟ୍ ସୁବିଧା ନାହିଁ । ନ କଲେ ଚାଉଳ ବନ୍ଦ କରୁଛନ୍ତି । ଅନ୍ୟ ଉପରେ ଦୋଷ ଲଦିବାରୁ ନିବୃତ୍ତ ରୁହନ୍ତୁ । ମନ୍ତ୍ରୀମାନେ ବୟାନ ଦେଉଛନ୍ତି ଆଦିବାସୀ ଆମ୍ବ ଟାକୁଆ ଖାଆନ୍ତି । ମୋହନ ମାଝୀ, ଜୁଏଲ ଓରାମ ଓ ରାଷ୍ଟ୍ରପତିଙ୍କ ଘରେ ଆମ୍ବ ଟାକୁଆ ଯାଉ ରନ୍ଧା ହୁଏ କି? ଆଦିବାସୀଙ୍କୁ ଉପହାସ କରିଛନ୍ତି । ଏହି ସରକାରରେ ଅଧ ଡଜନ ଆଦିବାସୀ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସି ସ୍ପଷ୍ଟୀକରଣ ଦିଅନ୍ତୁ ଯେ ଆଦିବାସୀ ଆମ୍ବ ଟାକୁଆ ଖାଆନ୍ତି । PMOର ନିର୍ଦ୍ଦେଶରେ ରାଜ୍ୟ ଚାଲିଛି । ଷ୍ଟାମ୍ପ ଲଗାଇ ସରକାର ଚାଲିଛି । ଓଡ଼ିଆ କଣ ଚାହାଁନ୍ତି, ବିଜେପି ଜାଣିନି । ମୂଳ ଆଦର୍ଶ ନାଗପୁରରେ ମରାଠୀ ହୋଇ ଗୁଜୁରାଟରେ ଗୁଜୁରାଟୀ ଅନୁବାଦ ହୋଇ ଦିଲ୍ଲୀରେ ହିନ୍ଦୀରେ ଅନୁବାଦ ହୋଇ ଓଡ଼ିଶା ଆସୁଛି । ଦିନ ବେଳା ମିଛ କହୁଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ବି ଆମ୍ବ ଟାକୁଆ ପାରମ୍ପରିକ ଖାଦ୍ୟ କହିଲେ । ମୁକେଶ ମହାଲିଙ୍ଗ, ପ୍ରଭାତୀ ପରିଡା ଓ କୃଷ୍ଣ ପାତ୍ର କ’ଣ ଆଦିବାସୀ ? ସେମାନେ ଏହା କହିବାର ଅଧିକାର ନାହିଁ । ବିଜେପି ପ୍ରତିଶୋଧ ପରାୟଣ ରାଜନୀତି କରୁଛନ୍ତି । ଯେଉଁ ବ୍ୟବସ୍ଥା ନବୀନ ପଟ୍ଟନାୟକ କରିଥିଲେ, ତାକୁ ଭାଙ୍ଗି ଆଜି ପରିଣାମ ଭୋଗୁଛନ୍ତି ରାଜ୍ୟ ସରକାର । ୨୦୦୧ ରେ ୭୦% ଦାରିଦ୍ର୍ୟ ଥିଲେ । ହେଲେ ଗତ ୨୪ ବର୍ଷରେ ୬୦% ହ୍ରାସ ପାଇ ୧୦ ଲକ୍ଷ ତଳକୁ ଖସିଛି । ଯାହା ଦେଶରେ ସବୁଠାରୁ ଦ୍ରୁତ । ହେଲେ ଏବେ ସରକାର କିଏ ଚଳାଉଛି ଜଣା ନାହିଁ ? ଦଲାଲ ବୁଲିଛନ୍ତି ସରକାରୀ ଅଫିସରେ । RDC ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏମିତି ବହୁତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟପାଳଙ୍କ ପୁଅ, ବଢ ଠାକୁର ବଳଭଦ୍ର ପଡି଼ବା, ଭରତପୁର, ମଦ ମୃତ୍ୟୁ ରିପୋର୍ଟ ଆସିଲା ନାହିଁ । ଲୋକେ ଅନେକ ଆଶା ରହି ବିଜେପିକୁ ଭୋଟ ଦେଇଥିଲେ । ଯେବେ ବଡ ଠାକୁର ବଳଭଦ୍ର ପଡିଗଲେ, ଜଣା ପଡିଗଲା ଯେ ବିଜେପି ଓଡ଼ିଶା ପାଇଁ ଶୁଭଙ୍କର ନୁହେଁ । ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା, ଉପ ମୁଖ୍ୟମନ୍ତ୍ରୀଙ୍କ କ୍ଷମା, ଜିଲ୍ଲାପାଳ ଯାଏଁ ଯିଏ ବ୍ୟବସ୍ଥା ନଷ୍ଟ କରିଛନ୍ତି, ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ବାଦୀ କରିଛି ବିଜେଡି ।