ଗୋଟିଏ ଦିନରେ ମାର୍କେଟରୁ ୬ ଲକ୍ଷ କୋଟି ଗୋଲ୍
ନନ୍ଦିଘୋଷ ବ୍ୟୁରୋ: ମାର୍କେଟରୁ ଆଜି ଗୋଟିଏ ଦିନରେ ୬ ଲକ୍ଷ କୋଟି ଟଙ୍କା ଗୋଲ୍। ଏତେ ଟଙ୍କା ହରାଇଛନ୍ତି ନିବେଶକ। ସେନସେକ୍ସ ୯୪୧ ପଏଣ୍ଟ ଓ ନିଫଟି ୩ ଶହ ପଏଣ୍ଟରୁ ଅଧିକ ଖସିବାରୁ ଏହି କ୍ଷତି ହୋଇଛି। ଗୋଟିଏ ସମୟରେ ତ ସେନସେକ୍ସ ୧୪ ଶହ ପଏଣ୍ଟରୁ ଅଧିକ ଓ ନିଫଟି ୪ ଶହ ପଏଣ୍ଟରୁ ଅଧିକ ଖସିଥିଲା। ପରେ ଅଳ୍ପ ଭରଣା ହୋଇଛି। ଦ୍ଵିତୀୟ କ୍ଵାଟରରେ କମ୍ପାନିଗୁଡ଼ିକର ଲାଭ ଆଶାଜନକ ନ ହେବାରୁ ବିଦେଶୀ ନିବେଶକାରୀ ଭାରତର ମାର୍କେଟରୁ ପୁଂଜି କାଢ଼ି ନେବା ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏଇ ଅକ୍ଟୋବର ମାସରେ ଭାରତୀୟ ମାର୍କେଟରୁ ପ୍ରାୟ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିନେଇଛନ୍ତି ବିଦେଶୀ ନିବେଶକ। ଆଗକୁ ହୁଏତ ଭଲ ରିଟର୍ଣ୍ଣ ନ ମିଳିପାରେ, ସେଇ ଆଶଙ୍କା କରି ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ସେମାନେ। ଏହା ସହିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଅନିଶ୍ଚିତତା, ଆସନ୍ତା ୭ ତାରିଖରେ ଫେଡରାଲ ରିଜର୍ଭର ପଲିସି ରେଟ୍ ଆସିବାର ଅଛି। ପେଟ୍ରୋଲିୟମ ଦାମ ମଧ୍ୟ ଅଧିକ ରହିଥିବାରୁ ଏହାର ପ୍ରଭାବ ପଡ଼ିଥିବା କୁହାଯାଉଛି।