ହୁ ହୁ ହୋଇ ବଢୁଛି ଅତ୍ୟାବଶ୍ୟକ ସାମଗ୍ରୀ ଦର

ନନ୍ଦିଘୋଷ ବ୍ୟୁରୋ: ଦରଦାମ ନିୟନ୍ତ୍ରଣ ପାଇଁ ଉଦ୍ୟମ ନାହିଁ, ବରଂ ଯେଉଁମାନେ ଉଦ୍ୟମ କରୁଛନ୍ତି ତାଙ୍କୁ ନିନ୍ଦିତ କରିବା ସହ ନିଆଯାଉଛି କାର୍ଯ୍ୟାନୁଷ୍ଠାନ । ଓଡ଼ିଶାର ବିଜେପି ସରକାର ଏଭଳି କରୁଥିବା ରାଜ୍ୟ ବ୍ୟବସାୟୀ ସଂଘ ଅଭିଯୋଗ କରିଛି । ଏହା ବିରୋଧରେ କଠୋର ନିଷ୍ପତ୍ତି ନେବାକୁ ଯାଉଛି ସଂଘ । ସରକାରଙ୍କ ଏଭଳି ଆଭିମୁଖ୍ୟ ବିରୋଧରେ ରାଜ୍ୟରେ ଦୋକାନ ବଜାର ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେବାକୁ ସଂଘ ଚେତାବନୀ ଦେଇଛି । ଏଥିପାଇଁ ଜୟପୁରରେ ହେବାକୁ ଥିବା ସଂଘର ବୈଠକରେ ନିଷ୍ପତ୍ତି ନିଆଯିବ । ସେପଟେ ଦାରିଙ୍ଗବାଡି ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ଯେପରି ହାଲୁକା ମନ୍ତବ୍ୟ ଦେଇଛନ୍ତି ଏ ପ୍ରସଙ୍ଗରେ ମଧ୍ୟ ଯୋଗାଣ ମନ୍ତ୍ରୀ ଅତ୍ୟନ୍ତ ହାଲକା ଭାବେ ମନ୍ତବ୍ୟ ଦେଇଛନ୍ତି।

ଦୀର୍ଘ ୪ ମାସରୁ ଅଧିକ ସମୟ ଧରି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି । ଦରଦାମ ନିୟନ୍ତ୍ରଣ କରିବାକୁ ସରକାରଙ୍କ ଆଗ୍ରହ ନାହିଁ କି ଇଛା ବି ନାହିଁ । ଯାହାର ଫଳ ସ୍ଵରୂପ ସନ୍ତୁଳି ହେଉଛନ୍ତି ସାଧାରଣ ଗ୍ରାହକ । ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ବ୍ୟବସାୟୀ ସଂଘ ଲଗାତର ବିଭିନ୍ନ ପ୍ରସ୍ତାବ ଦେଇଆସୁଛି । ସେସବୁ ଗ୍ରହଣ ନକରି ଓଲଟା ନିଜ ଦୋଷକୁ ଲୁଚାଇବାକୁ ରାଜ୍ୟର ବ୍ୟବସାୟୀଙ୍କ ମୁଣ୍ଡରେ ସରକାର ଅଠା ବୋଳୁଛନ୍ତି । ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରି ଜୟପୁରରେ ରାଜ୍ୟ ବ୍ୟବସାୟୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ରାଜ୍ୟର ୫ହଜାର ବ୍ୟବସାୟୀ ଯୋଗଦେବେ । ବୈଠକରେ ସରକାରଙ୍କ ବିରୋଧରେ କଠୋର ନିଷ୍ପତ୍ତି ନିଆଯିବ ବୋଲି କହିଛି କହିଛି ରାଜ୍ୟ ବ୍ୟବସାୟୀ ସଂଘ। । ସରକାରଙ୍କୁ ସମ୍ପୂର୍ଣ୍ଣ ଅସହଯୋଗ କରାଯିବ । ସାମୁହିକ ଭାବେ ନିଜର ଲାଇସେନ୍ସ ଫେରାଇବେ, ସରକାରଙ୍କ କୌଣସି ରାଜସ୍ୱ କଲେକ୍ସନ କରିବେ ନାହିଁ । ଆଇନଗତ ଢଙ୍ଗରେ ସରକାରଙ୍କ ବିରୋଧରେ ସବୁ ଚରମ ପଦକ୍ଷେପ ନିଆଯିବ ବୋଲି କହିଛି ସଂଘ ।

ସରକାର ଚାଷର ଅଭିବୃଦ୍ଧି କରିବେନି, ଲୋକଙ୍କ କଷ୍ଟଲବ୍ଧ ଅର୍ଥକୁ ନିଜ ଦଳ ଓ ବ୍ୟକ୍ତିଗତ ହିସାବରେ ଖର୍ଚ୍ଚ କରିବେ, ଉତ୍ପାଦନ ନବଢ଼ାଇ ବ୍ୟବସାୟୀଙ୍କୁ ଦୋଷ ଦେବେ । କର୍ପୋରେଟ ହାଉସର ସ୍ୱାର୍ଥ ପାଇଁ ସରକାର କାମ କରୁଥିବା ବେଳେ ସରକାରଙ୍କ ବିରୋଧରେ ଆର ପାର୍ ଲଢେଇ ଚେତାବନୀ ଦେଇଛି ସଂଘ । ବଞ୍ଚିବୁ ନହେଲେ ମରିବୁ ବୋଲି କହିଛି ବ୍ୟବସାୟୀ ସଂଘ । ବ୍ୟବସାୟୀଙ୍କ ଚେତାବନୀ ପରେ ମଧ୍ୟ ଅତି ହାଲୁକା ଢଙ୍ଗରେ ମନ୍ତବ୍ୟ ରଖିଛନ୍ତି ଯୋଗାଣ ମନ୍ତ୍ରୀ । ଦରଦାମ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ହେଉଛି । ଉତ୍ପାଦନ କମ ହେଉଥିବାରୁ ଦର ବଢୁଛି । ବ୍ୟବସାୟୀ ମହାସଂଘ ସହ ଆମେ ଲଗାତର କଥା ହେଉଛୁ । ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିବୁ ବୋଲି  କହିଛନ୍ତି ମନ୍ତ୍ରୀ ।

ଦରଦାମ ନିୟନ୍ତ୍ରଣ କରିବାରେ ବିଜେପି ସରକାର ବିଫଳ ହୋଇଛନ୍ତି । ଏହାର ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ କରିବାର ଚରମ ନିଷ୍ପତ୍ତି ଖୁବ ଶୀଘ୍ର ନିଆଯାଇ ପାରେ ବୋଲି ଚେତାବନୀ ଦେଇଛି ରାଜ୍ୟ ବ୍ୟବସାୟୀ ସଂଘ।