ଫସଲ ଅମଳ ବେଳେ ବର୍ଷା ଉଭାନ, ଚାଷୀ ମୁଣ୍ଡରେ ହାତ
ବଲାଙ୍ଗୀର : ଫସଲ ଅମଳ ବେଳେ ବର୍ଷା ଉଭାନ । ଧାନ ଥୋଡ ଧରିବା ବେଳେ ଜମି ଫାଟି ଆଁ । ପାଣି ବିନା ଚାଷ ପ୍ରଭାବିତ । ବର୍ଷ ଯାକର ଗୁଜୁରାଣ ଚିନ୍ତାରେ ଏବେ ଚାଷୀ । ବଲାଙ୍ଗୀର ଏକ କୃଷି ପ୍ରଧାନ ଜିଲ୍ଲା । ଜିଲ୍ଲାର ୮୦ ପ୍ରତିଶତ ଲୋକ ଚାଷବାସ ଉପରେ ନିର୍ଭରଶୀଳ । ଧାନ ଜିଲ୍ଲାର ପ୍ରମୁଖ ଫସଲ ହୋଇଥିବା ବେଳେ କପା, ବିରି, ମୁଗ ଆଦି ଡାଲି ଜାତୀୟ ଫସଳ ଚାଷ କରାଯାଏ । ତେବେ ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେବାରୁ ଚାଷ ପଛେଇ ଯାଇଥିଲା । ପରେ ଲଗାଣ ବର୍ଷା ଯୋଗୁ ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ । ଏବେ ଅମଳ ସମୟରେ ବର୍ଷା ହେଲାନାହିଁ । ଫଳରେ ଜିଲ୍ଲାର ୫୦ରୁ ଅଧିକ ହେକ୍ଟର ଜମିରେ ଚାଷ ନଷ୍ଟ ହେବାକୁ ବସିଲାଣି । ଜିଲ୍ଲାର ୧୪ ଟି ବ୍ଲକରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ଜିଲ୍ଲା କୃଷି ବିଭାଗ ରେକଡ଼ ଅନୁସାରେ ଚଳିତ ବର୍ଷ ଖରିଫ ରୁତୁରେ ୩ ଲକ୍ଷ, ୪୫ ହଜାର,୪୭୫ ହେକ୍ଟର ଜମିରେ ଚାଷ ଆରମ୍ଭ ହୋଇଥିଲା । ସେଥିରୁ ୧ ଲକ୍ଷ, ୬୪ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା । ଅମଳ ହେବାକୁ ଥିବା ୧ ଲକ୍ଷ ୬୨ ହଜାର ହେକ୍ଟର ଧାନ ଚାଷ ମଧ୍ୟରୁ ପାଖାପାଖି ୫୦ ହେକ୍ଟରରୁ ଅଧିକ ପାଣି ଅଭାବରୁ ମାରିବାକୁ ବସିଲାଣି । ଫଳରେ ଧାର କରଜ କରି ଚାଷ କରିଥିବା ଚାଷୀମାନେ କେମିତି ଟଙ୍କା ପରିଶୋଧ କରିବେ ସେନେଇ ଚିନ୍ତାରେ ବସିଛନ୍ତି । ସେପଟେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଚାଷ କ୍ଷୟକ୍ଷତି ଅନୁଧ୍ୟାନ ଜାରି ଥିବା ସୂଚନା ଦେଇଛନ୍ତି ।