ଛତିଶଗଡ଼ କବଜାରେ ମହାନଦୀ; ଓଡିଶା ସରକାରଙ୍କ ନୀରବତାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ବର: ମହାନଦୀ ପ୍ରସଙ୍ଗରେ ଘାଇଲା ହେଉଛି ଓଡ଼ିଶା । ରାଜ୍ଯବାସୀଙ୍କ ସ୍ବାର୍ଥ ପୂରଣରେ ଫେଲ ଡବଲ ଇଞ୍ଜିନ ସରକାର । ରାଜ୍ଯର ଲାଇଫ ଲାଇନ ମହାନଦୀ ହୋଇଥିଲେ ବି ଛତିଶଗଡ଼ ଦୟାରେ ମିଳୁଛି ପାଣି । ଯାହା ବି ମିଳୁଛି ତାହା ପ୍ରଦୂଷିତ । ଏହାକୁ ନେଇ ଦିଆଯାଇଛି ଆନ୍ଦୋଳନ ଡାକରା । ସେପଟେ ପ୍ରଦୂଷଣ ପ୍ରସଙ୍ଗରେ ସତର୍କ କରାଇଛନ୍ତି ପରିବେଶବିତ ।

ମହାନଦୀକୁ ପାଣି ଛାଡୁନି ଛତିଶଗଡ଼ । ଯେତିକି ପାଣି ଆସୁଛି ତାହା ବି ପ୍ରଦୂଷିତ । ଓଡିଶାକୁ ପଡ଼ୋଶୀ ରାଜ୍ଯ ଦେଉଛି ଡବଲ ଝଟକା । ଆଖିବୁଜା ନିର୍ମାଣ ଚାଲିଛି ବ୍ଯାରେଜ ଓ ଡ୍ଯାମ । ଯେତିକି ପାଣି ଆସୁଛି ତାହା ବି ହେଉନି ବ୍ଯବହାର ଉପଯୋଗୀ । ଶିଳ୍ପସଂସ୍ଥା ଓ କୃଷିରେ ବ୍ୟବହାର ହେଉଥିବା କୀଟନାଶକଯୁକ୍ତ ଜଳ ମହାନଦୀରେ ମିଶି ଜଳ ପ୍ରଦୂଷିତ ହେଉଛି । ସେପଟେ ନୀରବଦ୍ରଷ୍ଟା ସାଜିଛନ୍ତି ରାଜ୍ଯ ବିଜେପି ସରକାର । ସମାଧାନ କରିବାରେ ଫେଲ ଟ୍ରିପଲ ଇଞ୍ଜିନ ସରକାର । ପ୍ରତିବାଦରେ ମହାନଦୀ ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ପଦଯାତ୍ରା କରି ଜନ ଆନ୍ଦୋଳନ ଗଢି ତୋଳିବାକୁ ଯୋଜନା କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ସେପଟେ ବିଷାକ୍ତ ପାଣିକୁ ନେଇ ସତର୍କ କରାଇଛନ୍ତି ପରିବେଶବିତ ।

ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ର ମନମାନି ଓ ଓଡିଶା ସରକାରଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ଯବାସୀ । ପୂର୍ବ ସରକାର ସମୟରେ ମହାନଦୀ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବାରମ୍ବାର ଚାପ ସୃଷ୍ଟି କରାଯାଉଥିଲା । ଏବେ କେନ୍ଦ୍ର ସମେତ ଉଭୟ ଛତିଶଗଡ଼ ଓ ଓଡ଼ିଶାରେ ବିଜେପି ସରକାର ଥିଲେ ମଧ୍ୟ ମୋହନ ସରକାରଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ ବୋଲି କହିଛି ସିଟିଜେନସ ଫୋରମ । ରାଜସ୍ୱ ମନ୍ତ୍ରୀଙ୍କ କହିବା କଥା ଶୀଘ୍ର ଛତିଶଗଡ଼ ସରକାରଙ୍କ ସହ ଆଲୋଚନା କରାଯିବ ।

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବୁନାଲର ଅଧ୍ୟକ୍ଷ ପଦ ବହୁ ମାସ ଧରି ଖାଲି ପଡିଥିବା ବେଳେ ଛତିଶଗଡ଼ ମନଇଚ୍ଛା ନିର୍ମାଣ କରି ଜଳ ଅଟକାଉଛି । ଶିଳ୍ପ ସଂସ୍ଥା ବି ବଢ଼ାଇ ଚାଲିଛନ୍ତି ପ୍ରଦୂଷଣ ।