କେନ୍ଦ୍ରର ପୂଜା ଛାଟ: ୧୯ କେଜି ଗ୍ୟାସ ସିଲିଣ୍ଡର ଦର ଏକାଥରେ ବଢ଼ିଲା ୬୨ ଟଙ୍କା
ଭୁବନେଶ୍ବର: ପୂଜା ସିଜନରେ ଗ୍ରାହକଙ୍କୁ କୋରଡା ମାଡ । ଦରବୃଦ୍ଧି ସମସ୍ଯା ଭିତରେ ରୁନ୍ଧି ହେଉଥିବା ଲୋକଙ୍କ ଉପରେ କେନ୍ଦ୍ର ସରକାରଙ୍କ ଆଉ ଏକ ଛାଟ । ବଢାଇଲେ କମର୍ସିଆଲ ଗ୍ଯାସ ଦର । ୧୯ କେଜି ସିଲିଣ୍ଡରରେ ୬୨ ଟଙ୍କା ବଢାଇଛନ୍ତି ସରକାର । ସେହିପରି ଫ୍ରିଟ୍ରେଡ ୫ କେଜି ଗ୍ଯାସ ଦର ବି ବଢିଛି ୧୫ ଟଙ୍କା । ଏହାକୁ ନେଇ ସାଧାରଣ ଜନତାଙ୍କ ମଧ୍ଯରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା ।
ଦୀପାବଳି ସରୁସରୁ ୧୯ କିଲୋ ବ୍ଯାବସାୟିକ ଗ୍ୟାସ ସିଲିଣ୍ଡର ଦର ୬୨ ଟଙ୍କା ବଢାଇଲେ କେନ୍ଦ୍ର ସରକାର । ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର ପ୍ରତିଦିନ ବଢି ବଢି ଚାଲିଥିବା ବେଳେ ଏବେ କମର୍ସିଆଲ ଗ୍ୟାସ ଦର ବଢାଇଛନ୍ତି ସରକାର । ଗତ ସେପ୍ଟେମ୍ବର ୧ ରେ ଗ୍ଯାସ ଦର ବଢିଥିଲା ୩୯ ଟଙ୍କା । ସେହିପରି ୧ ଅକ୍ଟୋବରରେ ବଢିଥିଲା ୪୮ ଟଙ୍କା ୫୦ ପାଇସା । ଏହାକୁ ନେଇ ବଢିଛି ଅସନ୍ତୋଷ । ଛୋଟ ହୋଟେଲ, ବ୍ଯବସାୟୀ ଓ ରେଷ୍ଟୁରାଣ୍ଟ ଖାଦ୍ଯ ପ୍ରସ୍ତୁତ କରୁଥିବା ଏହାର ପ୍ରଭାବ ସିଧା ଲୋକଙ୍କ ଉପରେ ହିଁ ପଡିବ । ଏଥିସହ ୫ କିଲୋ ଫ୍ରିଟ୍ରେଡ଼ ଗ୍ୟାସ ଦର ମଧ୍ୟ ୧୫ ଟଙ୍କା ବୃଦ୍ଧି କରାଯାଇଛି । ସରକାରଙ୍କ ଏଭଳି ଆଭିମୁଖ୍ୟକୁ ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ସମେତ ହୋଟେଲ, ରେଷ୍ଟୁରାଣ୍ଟ ବ୍ୟବସାୟୀ ସମାଲୋଚନା କରିଛନ୍ତି ।
ଗ୍ୟାସ ଦର ବୃଦ୍ଧିକୁ ନେଇ ରାଜ୍ୟ ଗ୍ୟାସ ଡିଲର ସଂଘ ଅସନ୍ତୋଷ ବ୍ୟକ୍ତ କରିଛି । ଏହାଦ୍ୱାରା ତୃଣମୂଳ ସ୍ତରର ଲୋକମାନେ ହିଁ ହଇରାଣ ହେବା ସହ କଳାବଜାରୀ ବଢିବ ବୋଲି ସଂଘ କହିଛି । କମର୍ସିଆଲ ଗ୍ୟାସ କିଣିବା କମିବ ବୋଲି ମଧ୍ୟ କୁହାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାଧାରଣ ଜନତା ଦାୟୀ କରିଛନ୍ତି । ସରକାର ଲୋକଙ୍କ ସହ ବିଶ୍ୱାସଘାତ କରିଛନ୍ତି ଯାହାକି ପରୋକ୍ଷରେ ସାଧାରଣ ଲୋକଙ୍କୁ ଲୁଟିବା ପାଇଁ ଏକ ବ୍ୟବସ୍ଥା ବୋଲି କହିଛି ନାଗରିକ ସୁରକ୍ଷା ମଞ୍ଚ । ଆଗାମୀ ଦିନରେ ଏହାର ତୀବ୍ର ବିରୋଧ କରାଯିବ । ଯେତେ ସରକାର ଓଡ଼ିଶାରେ ଆସିଛନ୍ତି ଏହା ସବୁଠୁ ଖରାପ ସରକାର ବୋଲି କହିଛି ମଞ୍ଚ । ଏବେ ଡବଲ ଇଞ୍ଜିନ ସରକାରରେ ଡବଲ ବିକାଶ ନା ଡବଲ ଦୁର୍ନୀତି ହେଉଛି ବୋଲି ପ୍ରଶ୍ନ କରିଛି ନାଗରିକ ସୁରକ୍ଷା ମଞ୍ଚ ।