ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଜିଏସଟି ଚଢ଼ାଉକୁ ଦାୟୀ କଲେ ପରିବାର ଲୋକେ
ଜୟପୁର: କୋରାପୁଟ ଜିଲ୍ଲା ଜୟପୁରର ନ୍ୟୁ ବାସବି ଜୁଏଲାରୀ ମାଲିକ ପି. ହରପ୍ରସାଦ ରାଓଙ୍କ ସନ୍ଦେହଜନକ ମୃତ୍ୟୁ । ଜିଏସଟି ଚଢ଼ାଉ ତାଙ୍କ ମୃତ୍ୟୁର କାରଣ ବୋଲି ହରପ୍ରସାଦଙ୍କ ଭାଇ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ, ଜୁଏଲାରୀ ଦୋକାନରେ ଜିଏସଟି ରେଡ୍ ପରେ ହରପ୍ରସାଦଙ୍କ ସନ୍ଦେହଜନକ ମୃତ୍ଯୁ ଘଟିଛି । ଗତକାଲି ରାତିରେ ଦୀପାବଳି ପାଳନ କରି ହରପ୍ରସାଦ ଶୋଇଥିବାବେଳେ ଆଜି ସକାଳୁ ଆଉ ଉଠି ନଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ହରପ୍ରସାଦଙ୍କ ଭାଇ ପି.ରାଜେଶଙ୍କ ଅଭିଯୋଗ ଅନୁସାରେ, ଗତ ମଙ୍ଗଳବାର ଦିନ ଧନତେରାସରେ ସିଟି ଜିଏସଟି ବିଭାଗ ତାଙ୍କ ଦୋକାନରେ ଚଢାଉ କରିଥିଲା । ସେବେଠୁ ହରପ୍ରସାଦ ଭୟଭୀତ ହୋଇ ଚାପଗ୍ରସ୍ତ ଥିଲେ । ପାର୍ବଣ ଦିନ ୬ରୁ ୭ଘଣ୍ଟା ଧରି ରେଡ୍ ସହ ଘର ସିଜ କରି ସର୍ଚ୍ଚ ଅପରେସନ ଫଳରେ ସେ ଭାଙ୍ଗି ପଡ଼ିଥିଲେ । ପୂର୍ବରୁ ମଧ୍ଯ ବାରମ୍ବାର ଏଭଳି ଚଢାଉ ହୋଇଥିଲା । ଏଣୁ ଲୋକଲଜ୍ଜାକୁ ସହି ନପାରି ସେ ଚିନ୍ତାଗ୍ରସ୍ତ ଥିଲେ । ଜୟପୁର ଚାମ୍ବର ଅଫ କମର୍ସ ମଧ୍ଯ ଜିଏସଟି ବିଭାଗର ଏଭଳି ଚଢାଉକୁ ସମାଲୋଚନା କରିଛି ।