ତୃତୀୟଥର ପାଇଁ ନାମ ପରିବର୍ତ୍ତନ କଲେ ଓ୍ବାସିମ ରିଜବି, ବ୍ରାହ୍ମଣରୁ ହେଲେ ଠାକୁର

ନନ୍ଦିଘୋଷ ବ୍ୟୁରୋ: ପୁଣି ଚର୍ଚ୍ଚାରେ ସିୟା ଓ୍ବାକର୍ଫ ବୋର୍ଡର ପୂର୍ବ ଅଧ୍ୟକ୍ଷ ଓ୍ବାସିମ ରିଜବି । ପୁଣି ଥରେ ଜାତି ବଦଳେଇ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ୨୦୨୧ରେ ଯେତେବେଳେ ସେ ଧର୍ମ ପରିବର୍ତ୍ତନ କରିଥିଲେ ସେତେବେଳେ ନିଜ ନାଁ ନାରାୟଣ ତ୍ୟାଗୀ ରଖିଥିଲେ । ହେଲେ ବର୍ତ୍ତମାନ ପୁଣି ସେ ନିଜର ଜାତି ବଦଳାଇବା ସହ ନାମ ପରିବର୍ତ୍ତନ କରିଛନ୍ତି । ଏବେ ତାଙ୍କର ନୂଆ ନାଁ ହେଉଛି ଠାକୁର ଜିତେନ୍ଦ୍ର ନାରାୟଣ ସିଂ ସେଙ୍ଗର । ସେ ଏବେ ତ୍ୟାଗି ବ୍ରାହ୍ମଣରୁ ଠାକୁର ହେଇଯାଇଛନ୍ତି । ଓ୍ବାସିମ ରିଜବି ପୂର୍ବରୁ ଏକ ବୟାନରେ ଦର୍ଶାଇଥିଲେ ଯେ, ତାଙ୍କୁ ଇସଲାମ ଧର୍ମରୁ ବାହାର କରିଦିଆଯାଇଥିଲା । ଠାକୁର ଜିତେନ୍ଦ୍ର ନାରାୟଣ ସିଂ ସେଙ୍ଗର ଦୀପାବଳିର ଶୁଭେଚ୍ଛା ଜଣାଇବା ସହିତ ନିଜ ନୂଆ ନାଁର ଖୁଲାସା କରିଛନ୍ତି । ଯେତେବେଳେ ସେ ଇସଲାମ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ।

କେତେବେଳେ କରିଥିଲେ ଧର୍ମ ପରିବର୍ତ୍ତନ:

କୌଣସି କାରଣରୁ ଇସଲାମ ଧର୍ମଗୁରୁମାନେ ଓ୍ବାସିମ ରିଜବିଙ୍କ ବିରୁଦ୍ଧରେ ଫତଓ୍ବା ଜାରୀ କରିଥିଲେ, ଯାହାକୁ ନେଇ ତାଙ୍କ ପରିବାରରେ ମଧ୍ୟ ବିବାହ ଦେଖାଦେଇଥିଲା । ତାଙ୍କ ମା ଏବଂ ଭାଇ ତାଙ୍କ ସହିତ ସମ୍ପର୍କ ଛିନ୍ନ କରିଥିଲେ । ତାଙ୍କ ବିରୁଦ୍ଧରେ ଇସଲାମ ଧର୍ମକୁ ଅପମାନିତ କରିବା ଏବଂ ଧର୍ମଗୁରୁଙ୍କ ବିରୁଦ୍ଧରେ ଅପମାନିତ ମନ୍ତବ୍ୟ ଦେବା ଭଳି ଅଭିଯୋଗ ଲାଗିଥିଲା ।

କାହିଁକି ଥିଲେ ଚର୍ଚ୍ଚାରେ:

ଓ୍ବାସିମ ରିଜବି ସିୟା ଓ୍ବାକର୍ଫ ସେଣ୍ଟ୍ରାଲ ବୋର୍ଡର ଅଧ୍ୟକ୍ଷ ଥିଲେ । ୨୦୧୭ରୁ ଯୋଗୀ ଆଦିତ୍ୟନାଥ ସରକାର ଗଢିବା ଦିନ ପରଠାରୁ ସେ ଲୋକଲୋଚନକୁ ଆସିଥିଲେ । ମଦରସା ଶିକ୍ଷାକୁ ଆତଙ୍କବାଦୀ ସହ ଯୋଡିବା ଏବଂ କୁତବ ମୀନାରକୁ ହଟାଇବା ପାଇଁ ସେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ । ଯେଉଁଥିପାଇଁ ସେ ବିବାଦଘେରକୁ ଆସିଥିଲେ ।

ଏହାସହିତ ଓ୍ବାସିମ ରିଜବି ସେତେବେଳେ କିଛି ଶିକ୍ଷଣୀୟ ସଂସ୍ଥା ଚରମପନ୍ଥୀ ବିଚାରଧାରାକୁ ସମର୍ଥନ କରୁଛନ୍ତି ବୋଲି ମତ ଦେଇଥିଲେ ଯାହାକୁ ସିୟା ଏବଂ ସୁନ୍ନୀ ସମୁଦାୟ ଲୋକମାନେ ବିରୋଧ କରିଥିଲେ । ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ସେମାନେ ତାଙ୍କ ବିରୁଦ୍ଧରେ ଫତଓ୍ବା ଜାରି କରିଥିଲେ  । ଯେଉଁଥିପାଇଁ ତାଙ୍କୁ ଇସାଲାମ ଧର୍ମରୁ ବାହାର କରିଦିଆଯାଇଥିଲା ।