ଆଜିଠୁ ଭାରତ-ନ୍ଯୁଜିଲାଣ୍ଡ ମଧ୍ଯରେ ତୃତୀୟ ଟେଷ୍ଟମ୍ଯାଚ, କର ବା ମର ସ୍ଥିତିରେ ରୋହିତ ଆଣ୍ଡ କୋ….

1 min read

ନନ୍ଦିଘୋଷ ବ୍ୟୁରୋ: ଲକ୍ଷ୍ୟ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଖେଳିବା । ହାତରେ ଆଉ ମାତ୍ର ୬ଟି ମ୍ୟାଚ । ଏଥିରୁ କମସେ କମ ୪ଟି ଜିତିବା ସହ ଗୋଟିଏ ଡ୍ର ରଖିବାକୁ ବାଧ୍ୟ । ଏପରି କର ବା ମର ସ୍ଥିତିରେ ଆଜି ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ସହ ଖେଳିବାକୁ ଯାଉଛି ତୃତୀୟ ତଥା ସିରିଜର ଅନ୍ତିମ ଟେଷ୍ଟ ମ୍ୟାଚ । କାରଣ ଏହି ସିରିଜର ପ୍ରଥମ ଦୁଇଟି ଟେଷ୍ଟକୁ ଜିତି ନେଇଛି ନ୍ୟୁଜିଲାଣ୍ଡ । ଅର୍ଥାତ ୩ ଟିକିଆ ମ୍ୟାଚକୁ ୨-୦ରେ ଜିତି ସିରିଜ କବଜା କରିନେଇଛି । ତେଣୁ ଟେଷ୍ଟ ଚାମ୍ପିଅନସିପ ଖେଳିବାକୁ ହେଲେ ଏହି ମ୍ୟାଚ ଜିତିବା ବେଶ ଗୁରୁତ୍ବପୂର୍ଣ୍ଣ ।

ଏହାସହ ନ୍ୟୁଜିଲାଣ୍ଡ ପରେ ଅଷ୍ଟ୍ରେଲିଆ ସହ ୫ ଟିକିଆ ଟେଷ୍ଟ ସିରିଜବି ଖେଳିବ । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚ ଜିତି ଦୃଢ ମନୋବଳ ସହ କଙ୍ଗାରୁ ସହ ଲଢିବାକୁ ଭାରତ ନିଶ୍ଚୟ ଉଦ୍ୟମ କରିବ । ନହେଲେ ଟେଷ୍ଟ ଚାମ୍ପିଅନସିପ ଖେଳିବା ଆଶା ଧୂଳିସାତ ହୋଇଯିବ । ତେଣୁ ଏହାକୁ କଳେବଳେ କୌଶଳେ ଜିତିବାକୁ ହିଁ ହେବ । ଖରାପ ଫର୍ମ ଦେଇ ଗତି କରୁଥିବାରୁ କିୱି ବିରୋଧରେ ପଡିଆକୁ ଓହ୍ଲାଇ ନପାରନ୍ତି ବିରାଟ କୋହଲି । ବିରାଟ ଯେବେଠୁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଛନ୍ତି, ସେବେଠୁ କେବେ ବି ଟିମ୍ ଇଣ୍ଡିଆରୁ ବାଦ ପଡି ନାହାନ୍ତି । ମାତ୍ର ଏବେ ପ୍ରଥମଥର ପାଇଁ ବାଦ ପଡିବାର ଆଶଙ୍କା ଦେଖା ଦେଇଛି । ଯଦି ରନ ମେସିନ ବିରାଟ କୋହଲି ଚୂଡାନ୍ତ ଏକାଦଶରୁ ବାଦ ପଡନ୍ତି, ତେବେ ତାଙ୍କ ସ୍ଥାନରେ ଷ୍ଟାଇଲିସ ବ୍ୟାଟର କେ.ଏଲ. ରାହୁଲଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ ।

ସେହିଭଳି ଭାରତୀୟ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ପ୍ରଥମ ୨ଟି ଟେଷ୍ଟରେ ଆଖିଦୃଶିଆ ପ୍ରଦର୍ଶନ ଦେଇ ପାରି ନାହାନ୍ତି । ତାଙ୍କ ସ୍ଥାନରେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଚୂଡାନ୍ତ ଏକାଦଶରେ ଖେଳାଯିବା ନେଇ ଆଶା କରାଯାଉଛି । ଏହାବାଦ ଭାରତୀୟ ଦଳରେ ଆହୁରି ୨ ଟି ବଡ ପରିବର୍ତ୍ତନ ହୋଇପାରେ । ଷ୍ଟାର ବୋଲର ଯଶପ୍ରୀତ ବୁମରା ଓ ଦୁର୍ଦ୍ଦଶ ବ୍ଯାଟର ଋଷଭ ପନ୍ତ ବି ମୁମ୍ୱାଇ ଟେଷ୍ଟ ଖେଳି ନପାରନ୍ତି । ବୁମରାଙ୍କ ସ୍ଥାନରେ ପୁଣିଥରେ ମହମ୍ମଦ ସିରାଜଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ । ସେପଟେ ୱିକେଟକ୍ଷକ ଋଷଭ ପନ୍ତଙ୍କ ସ୍ଥାନରେ ଧ୍ରୁବ ଜୁରେଲଙ୍କୁ ମୁମ୍ୱାଇ ଟେଷ୍ଟରେ ଖେଳାଯାଇପାରେ ବୋଲି ଆକଳନ କରାଯାଉଛି । ପ୍ରଥମ ଟେଷ୍ଟ ମ୍ୟାଚ ବେଙ୍ଗାଳୁରୁରେ ଖେଳାଯାଇଥିବାବେଳେ ଦ୍ବିତୀୟ ଟେଷ୍ଟ ମ୍ୟାଚ ପୁଣେରେ ଖେଳାଯାଇଥିଲା । ଅନ୍ୟପଟେ ଦୀର୍ଘ ୬୯ ବର୍ଷ ପରେ ଭାରତ ବିରୋଧରେ ଟେଷ୍ଟ ଜିତି ମନସ୍ତାତ୍ତ୍ବିକ ଦୃଷ୍ଟିକୋଣରୁ ବେଶ ଉପରେ ରହିଛି ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡ । ସେମାନେ ମଧ୍ୟ ଶେଷ ଟେଷ୍ଟ ମ୍ୟାଚ ଜିତି ସିରିଜ କ୍ଲିନସୁଇପ କରିବାକୁ ନିଶ୍ଚୟ ପ୍ରୟାସ କରିବେ ।