ରାଜ୍ୟ ସରକାର ମିଠା କଥା କହିବା ଜାଣନ୍ତି, କାମରେ ଜିରୋ: ରାଜ୍ଯ ବ୍ଯବସାୟୀ ସଂଘ
ଭୁବନେଶ୍ବର: ରାଜ୍ଯ ସରକାର କେବଳ ବାକ୍ଯବୀର, କର୍ମବୀର ନୁହଁନ୍ତି । ବିଭିନ୍ନ ସମୟରେ ମିଠା ମିଠା କଥା କହୁଛନ୍ତି । ହେଲେ କାମ ଆଜି ପର୍ଯ୍ୟନ୍ତ ଜିରୋ । ରାଜ୍ୟରେ ଦରଦାମ ନିୟନ୍ତ୍ରଣ ବାହାରକୁ ଚାଲିଯିବା ତଥା ଆଳୁ ସମସ୍ୟାର ସ୍ଥାୟୀ ସମାଧାନ ନ ହେବା ପ୍ରସଙ୍ଗ ନେଇ ସରକାରଙ୍କ ଉପରେ ଏପରି ବର୍ଷିଛି ରାଜ୍ଯ ବ୍ଯବସାୟୀ ସଂଘ । ଏସବୁ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବ୍ଯବସାୟୀ ସଂଘ ।
ସରକାର ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହା ପାଳନ ନ କଲେ ମିଛୁଆ ରାଧୁଆ ଭାବେ ଗଣା ହେବେ ବୋଲି କହିଛନ୍ତି ସଂଘର ମହାସଚିବ ସୁଧାକର ପଣ୍ଡା । ଲୋକଙ୍କ ଆବଶ୍ୟକତା, ଆଶା ଓ ଆକାଂକ୍ଷା କିଭଳି ଫଳପ୍ରଦ ହେବ ତାହା ସରକାର କରିବା ଦରକାର । ଏସବୁ ନକରି ସରକାର କେବଳ ବ୍ୟବସାୟୀଙ୍କୁ ଦୋଷ ଦେଇ ଖସି ଯାଆନ୍ତୁ ନାହିଁ ।
ଆଗକୁ ସେ କହିଛନ୍ତି, ସରକାରୀ ଦାୟିତ୍ୱରେ ଯିଏ ଅଛନ୍ତି ସେମାନେ ଜାଣିବାର ଆଗ୍ରହ ପ୍ରକାଶ କରିବା ଦେଖାଯାଉନାହିଁ । ସମସ୍ୟା ସମାଧାନ ଦିଗରେ ସରକାରଙ୍କର ଉତ୍ସାହ ନାହିଁ । ଆଳୁ ବିହନ ୧୫ ହଜାର କୁଇଣ୍ଟାଲ ସରକାର ଅର୍ଡର ଦେଇଥିବା ସୂଚନା ମିଳୁଛି । କିନ୍ତୁ ବିହନ କେବେ ଆସୁଛି ଓ ଚାଷୀଙ୍କୁ କିଭଳି ଦିଆଯାଉଛି ତାହା ଦେଖିବାର କଥା । ସରକାର ସଂଘର ସହଯୋଗ ଚାହୁଁ ନାହାନ୍ତି ବୋଲି କହିଛି ବ୍ୟବସାୟୀ ସଂଘ । ସରକାରଙ୍କୁ ସହଯୋଗର ହାତ ବଢ଼ାଇ ଆମେ ଅପମାନିତ ହୋଇଛୁ ବୋଲି କହିଛନ୍ତି ସୁଧାକର ।
ମନ୍ତ୍ରୀ ସବୁ କଥା କହୁଛନ୍ତି କିନ୍ତୁ କଥା କହିଦେଲେ ହେବନି । ପଦକ୍ଷେପ ନେବା ଦରକାର । କାମ ନକଲେ ସରକାର ତାର ପରିଣାମ ଭୋଗିବେ । ଲୋକେ ବୋକା ନୁହଁନ୍ତି । ଭୋଟରେ ଜବାବ ଦେବେ ବୋଲି ସୁଧାକର ଚେତାଇ ଦେଇଛନ୍ତି ।
ସେପଟେ କୃଷକ ମଜଦୂର ମହାସଂଘ ସମାଲୋଚନା କରି କହିଛି, ଚାଷୀମାନେ ଏବେ ବାହାରୁ ଆଳୁ ବିହନ ଆଣି ଚାଷ କରୁଛନ୍ତି । ସରକାର ବିଭିନ୍ନ ସମୟରେ ମିଛ କହୁଛନ୍ତି । ଟ୍ରେନରେ ଆଳୁ ଆଣିବା ଭଳି ଆଳୁ ବିହନ ପଞ୍ଜାବ, ୟୁପିରୁ ଆଣି ଦେବା କଥା କହି ଚାଷୀଙ୍କୁ ଭଣ୍ଡାଇଛନ୍ତି ସରକାର । ଏ ସରକାର କେବଳ କଥା କୁହା ସରକାର । ଚାଷୀଙ୍କର ଆଉ ଏ ସରକାର ଉପରେ ବିଶ୍ୱାସ ନାହିଁ ବୋଲି କହିଛି ମହାସଂଘ । ୫ ମାସ ମଧ୍ୟରେ ରାଜ୍ୟର ବିଜେପି ସରକାର ଚାଷୀଙ୍କ ପାଇଁ କରିଛି କ’ଣ ବୋଲି ପ୍ରଶ୍ନ କରିଛି ମହାସଂଘ । ଆଗକୁ ଆଳୁ ୧୦୦ ରୁ ୧୫୦ ଟଙ୍କା ପାର କରିବ ବୋଲି ଚେତାଇ ଦେଇଛି ମହାସଂଘ ।
ବିଜେପି ସରକାର ଆସିବା ପରଠାରୁ ସବୁ କ୍ଷେତ୍ରରେ ସଙ୍କଟ ସୃଷ୍ଟି ହୋଇଛି । କେମିତି କୋଉ ଜାଗାରୁ ପିସି ମିଳିବ ସେହି କଥାକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଏହା ବିରୋଧରେ ଆଗକୁ ଚାଷୀ ଜୋରଦାର ଆନ୍ଦୋଳନ କରିବାକୁ ଯୋଜନା କରୁଥିବା ବେଳେ ସାଧାରଣ ଲୋକେ ମଧ୍ୟ ନିଜ ସ୍ୱାର୍ଥ ରକ୍ଷା ପାଇଁ ସ୍ୱର ଉଠାଇବାକୁ ଆହ୍ୱାନ ଦେଇଛି କୃଷକ ମଜଦୂର ମହାସଂଘ ।