ଫେଲ ମାରିଛି ଜଳ ଯୋଗାଣ ପ୍ରକଳ୍ପ, ବ୍ଲକ ଘେରିଲେ ଶତାଧିକ ଆଦିବାସୀ
ସୁକିନ୍ଦା : କୋଟି କୋଟି ଟଙ୍କା ବ୍ୟୟରେ ସରକାର ଲୋକଙ୍କୁ ସ୍ୱଚ୍ଛ ପାନୀୟଜଳ ଯୋଗାଣ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ସୁକିନ୍ଦାରେ ଆରମ୍ଭ କରିଛନ୍ତି । କିନ୍ତୁ ସୁକିନ୍ଦା ବ୍ଲକ ଲେମ୍ବୋ ପଞ୍ଚାୟତର ବାଲିଆ, ଅଶୋକଝର, କାଞ୍ଜିଆପାଳ, ଉପର ବାଲିଆ, ତଳ ବାଲିଆ, ପୋଳାସ ଖୋଳି ଭଳି ଗାଁରେ ମେଗା ପାନୀୟ ଜଳ ଯୋଗାଣ ଅପହଁଞ୍ଚ ପାଲଟିଛି । ଯାହାକୁ ନେଇ ଲୋକେ ପରିତ୍ୟକ୍ତ କୂଅ ଓ ଝରଣାର ଦୂଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଏଥିପ୍ରତି ଜଳ ଯୋଗାଣ ଓ ପରିମଳ ବିଭାଗ ସୁକିନ୍ଦା ଏସଡିଓଙ୍କ ସମେତ ବ୍ଲକ ପ୍ରଶାସନ କୌଣସି କର୍ଣ୍ଣପାତ କରୁନାହାନ୍ତି । ଫଳରେ ଉପେକ୍ଷିତ ପାହାଡି ଆଦିବାସୀ ଲୋକେ ଯାଜପୁର ସିଭିଲ ସସାଇଟ ଫୋରମର ବିଶ୍ୱନାଥ ପାତ୍ରଙ୍କ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ ସୁକିନ୍ଦା ସତ୍ତାର ଷ୍ଟାଡିୟମ ଠାରୁ ଏକ ରାଲିରେ ବାହାରି ଜଳ ଯୋଗାଣ ଦାବିରେ ସୁକିନ୍ଦା ବ୍ଲକ ଘେରାଉ କରିଥିଲେ । ଦୀର୍ଘ ଘଣ୍ଟା ପରେ ସୁକିନ୍ଦା ବିଡ଼ିଓ ଙ୍କ ସହ ଆଲୋଚନା ପରେ ଏସଡିଓ ମାସେ ମଧ୍ୟରେ ଜଳ ଯୋଗାଣ କରିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।