ବାତ୍ଯା ମୁକାବିଲା ପାଇଁ ବଡ଼ ପ୍ରସ୍ତୁତି : ଆସନ୍ତାକାଲିଠୁ ଆରମ୍ଭ ହେବ ସ୍ଥାନାନ୍ତରଣ କାମ

ଭୁବନେଶ୍ୱର : ବାତ୍ଯା ଦାନାର ମୁକାବିଲା ପାଇଁ ରାଜ୍ଯ ସରକାରଙ୍କ ବଡ଼ ପ୍ରସ୍ତୁତି । ଆସନ୍ତାକାଲିଠୁ ଆରମ୍ଭ ହେବ ସ୍ଥାନାନ୍ତରଣ କାମ । ୧୦ ଲକ୍ଷ ଲୋକଙ୍କୁ ଅସ୍ଥାୟୀ ଭାବେ ଥଇଥାନ କରିବାକୁ ପ୍ରସ୍ତୁତି କରାଯାଇଥିବା ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ୬ ହଜାର ୨୪୪ଟି ରିଲିଫ ସେଣ୍ଟର ପ୍ରସ୍ତୁତ ହୋଇସାରିଛି ।

ବାତ୍ଯା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ୮ ହଜାର ୬୪୭ ଜଣ ଗର୍ଭବତୀ ଚିହ୍ନଟ ହୋଇଛନ୍ତି । ୫୧ଟି ଓଡ୍ରାଫ ଟିମ୍ ୧୭୮ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ଖୁବଶୀଘ୍ର ୫ଟି ଏନଡିଆରଏଫ ଟିମ୍ ପହଞ୍ଚିବେ । ୧୩ଟି ଜିଲ୍ଲାରେ ବାତ୍ୟା ପ୍ରଭାବ ପଡ଼ିବା ଆଶଙ୍କା ରହିଛି । ୬ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ବେଶୀ ପ୍ରଭାବିତ ହୋଇପାରେ । ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପଠାଯାଇଛି ।

ଆଶ୍ରୟସ୍ଥଳୀ ଗୁଡ଼ିକରେ ରନ୍ଧା ଖାଦ୍ଯ ପ୍ରସ୍ତୁତ କରାଯିବ । ଔଷଧ ମହଜୁଦ ରଖାଯାଇଛି । ରିଲିଫ ସେଣ୍ଟରରେ ଉଭୟ ମହିଳା ଓ ପୁରୁଷ ପୋଲିସ ନିୟୋଜିତ ହେବେ । ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁଉଚ୍ଚ ଜାଗାରେ ବ୍ୟବସ୍ଥା କରାଯାଇଛି । ଅତୀତରେ ବାତ୍ଯା ଓ ବନ୍ଯା ମୁକାବିଲାର ଅନୁଭୂତି ଥିବା ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ । ଆବଶ୍ଯକ ସରଞ୍ଜାମ ସହ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି । ବାତ୍ୟା ପରେ କ୍ଷୟକ୍ଷତିର ଆକଳନ ସହ ଉପଯୁକ୍ତ କ୍ଷତିପୂରଣ ସରକାର ପ୍ରଦାନ କରିବେ ।