ପାରାଦୀପ-ବାଲେଶ୍ବର ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ

ଭୁବନେଶ୍ବର :  ବାତ୍ଯାକୁ ନେଇ ବଡ଼ ଅପଡେଟ୍ । ସିଭିୟର ସାଇକ୍ଳୋନିକ ଷ୍ଟର୍ମରେ ପରିଣତ ହେବ ବାତ୍ୟା ଦାନା । ପାରାଦୀପ ବାଲେଶ୍ବର ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ । ଏନେଇ ଆଇଏମଡି ବାତ୍ୟାର ଗତିପଥ ଜାରି କରିଛି । ଏପଟେ  ଉତ୍ତର କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପର ରୂପ ନେଇଛି । କାଲି ସକାଳେ ଏହା ଅବପାତରେ ପରିଣତ ହେବ । ୨୩ ତାରିଖ ସୁଦ୍ଧା ନେବ ବାତ୍ୟାର ରୂପ । ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବାତ୍ଯା ଦାନା । ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବ । ୨୪ ତାରିଖରେ ଏହା ସ୍ଥଳଭାଗ ଛୁଇଁବ । ବାତ୍ୟା କେଉଁଠି ନିର୍ଦ୍ଦିଷ୍ଟ ଭାବେ ସ୍ଥଳଭାଗ ଛୁଇଁବ, ସେ ନେଇ ଏ ପର୍ଯ୍ୟନ୍ତ ସଠିକ୍ ଆକଳନ କରାଯାଇ ନଥିଲେ ମଧ୍ୟ ଓଡ଼ିଶା ଉପକୂଳକୁ ବିପଦ ରହିଥିବାରୁ ଭାରତୀୟ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ପ୍ରଭାବରେ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ସମ୍ଭାବନା ରହିଛି । ୨୩ ତାରିଖ ସନ୍ଧ୍ୟାଠାରୁ ଉପକୂଳ ଓଡ଼ିଶାର ପାଗରେ ପରିବର୍ତ୍ତନ ଆସିବ। ୨୪ରେ ମୂଷଳ ଧାରାରେ ବର୍ଷା ନେଇ ୪ ଜିଲ୍ଲାକୁ ରେଡ ଆଲର୍ଟ । ଏହି ସବୁ ଜିଲ୍ଲାରେ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସତର୍କତା ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କଟକ, କେନ୍ଦ୍ରାପଡା, ନୟାଗଡ଼, କନ୍ଧମାଳ ଏବଂ ଗଜପତିକୁ ସତର୍କତା ଜାରି କରାଯାଇଛି ।