ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ବର: ଅକ୍ଟୋବରରେ ଓଡ଼ିଶାବାସୀକୁ ପୁଣି ଘାରିଛି ବାତ୍ୟା ଭୟ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ‘ଦାନା’ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆଜି ରାତିରେ ଲଘୁଚାପ ସୃଷ୍ଟି ହୋଇ ୨୩ ତାରିଖ ସକାଳ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ବାତ୍ୟାର ରୂପ । ୨୪ ତାରିଖରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ଆକଳନ କରିଛି ଆଇଏମଡି ।

ତେବେ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରାଜୀବ ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଏସଆରସି ଦେଓରଞ୍ଜନ କୁମାର ସିଂ, ଉନ୍ନୟନ କମିଶନର ଅନୁ ଗର୍ଗ, କୃଷି ସଚିବ ଅରବିନ୍ଦ ପାଢ଼ୀ, ଫାୟାର ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଲ ଆଣ୍ଡ ଅର୍ଡର୍ ଏଡିଜି ସଞ୍ଜୟ କୁମାର ଏବଂ ଭୁବନେଶ୍ବରରେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।

ବୈଠକରେ ବାତ୍ଯା ନେଇ ସତର୍କତା ଜାରି କରାଯାଇଛି । ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳରେ ଲଗାତାର ନଜର ରଖିବାକୁ କୁହାଯାଇଛି । ଏହାସହ ପ୍ରଭାବିତ ଅଞ୍ଚଳରେ ଅଯଥା ଚଳପ୍ରଚଳ ନକରିବାକୁ ପରାମର୍ଶ ଦିଆଯାଇଛି । ସହରାଞ୍ଚଳରେ ଜଳ ନିଷ୍କାସନ ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ଚାଷ ଜମିରେ ସାର ପ୍ରୟୋଗ ବନ୍ଦ ରଖିବା, ଗୋରୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି ।

ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କ ପାଇଁ ପରାମର୍ଶ ଜାରି କରାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନେ କୂଳକୁ ଫେରି ଆସିବାକୁ ପରାମର୍ଶ ଦେଇଛନ୍ତି ।

ସେହିପରି ବାତ୍ୟା ଆଶଙ୍କାକୁ ନେଇ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା ଆସିଛି । କେହି ବି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କରିବେ ନାହିଁ ବୋଲି ମନ୍ତ୍ରୀ କହିବା ସହ ବ୍ୟବସାୟୀଙ୍କୁ ସତର୍କ କରାଇଛନ୍ତି । ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ଚଢ଼ାଉ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।