୪ ମାସର ଶାସନରେ ଅଣନିଃଶ୍ବାସୀ ଓଡ଼ିଶାବାସୀ, ଦରଦାମ ବେଲଗାମ

ଭୁବନେଶ୍ବର: ପରିବା ସହ ବଢ଼ି ବଢ଼ି ଚାଲିଛି ରାସନ ସାମଗ୍ରୀର ଦର । ଚାଉଳ, ଅଟା, ସୁଜି ଓ ତେଲ ଦର ନିୟନ୍ତ୍ରଣ କରିବାରେ ଫେଲ ମାରିଛନ୍ତି ସରକାର । ଅତ୍ୟାବଶ୍ୟକ ରାସନ ସାମଗ୍ରୀ ଦର କଣ୍ଟ୍ରୋଲରେ ନାହିଁ । ୪ ମାସ ଧରି ଅଣନିଃଶ୍ବସୀ ହୋଇ ପଡିଲେଣି ସାଧାରଣ ଲୋକେ । ସ୍ବଳ୍ପ ରୋଜଗାରରେ କିପରି ଘର ଚଳାଇବେ ସେହି ଚନ୍ତାରେ ଖାଉଟି ।

ଅଚ୍ଛେ ଦିନ କହି ଗରିବ ଖାଉଟିଙ୍କୁ କୋରଡ଼ା । ଦର ବଢାଇ ପରୋକ୍ଷରେ କରୁଛନ୍ତି କଲବଲ । ପରିବା ସାଙ୍ଗକୁ ଅତ୍ଯାବଶ୍ଯକ ସାମଗ୍ରୀ ଦରବୃଦ୍ଧି ଯୋଗୁଁ କାନ୍ଦିଲେଣି ଖାଉଟି । ଦର ନିୟନ୍ତ୍ରଣ କରିବାରେ ସରକାର ଫେଲ ମାରିଥିବା ଅଭିଯୋଗ । ସ୍ବଳ୍ପ ଦରମାରେ କିପରି ଘର ଚଳିବ ସେନେଇ ଚିନ୍ତାରେ ଖାଉଟି । ଭଲ ଟିକେ ଖାଇବା କଥା ଛାଡ଼ନ୍ତୁ ଯେତେ ଟଙ୍କା ନେଲେ ବି ବ୍ୟାଗ୍ ଟିକେ ପୁରୁନି । ପରିବାଠାରୁ ଆରମ୍ଭ କରି ରାସନ ସାମଗ୍ରୀ ସବୁ ଦରରେ ଲାଗିଛି ନିଆଁ । ୪ ମାସ ପୂର୍ବରୁ ସବୁ କିଛି ଠିକ ଥିବାବେଳେ ଲଗାତର ଦରବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ ।

ମାସ ତଳେ ସୋରିଷ ତେଲ ଲିଟର ପିଛା ୧୪୦ ଟଙ୍କା ଥିବା ବେଳେ ଏବେ ୧୭୦ରୁ ୧୯୦ । ରିଫାଇନ ତେଲ ୧୧୦ ଥିବାବେଳେ ଏବେ ୧୩୩ରୁ ୧୪୫ । ଅଟା ୪୦ରୁ ବଢି ୪୫ ହେଲାଣି । ସୁଜି କିଲୋ ୪୦ରୁ ବଢି ୬୦ ଛୁଇଁଲାଣି । ଚାଉଳ କିଲୋ ମାସକରେ ୫ ଟଙ୍କା ବଢିଛି । ତାହା ପୁଣି ବିଭିନ୍ନ ବର୍ଗରେ ଭିନ୍ନଭିନ୍ନ ଦର । ସେପଟେ ଅତ୍ୟାବଶ୍ୟକ ସାମଗ୍ରୀ ଦର କାହିଁକି ବଢିଲା କାହା ନିକଟରେ ନାହିଁ ସଠିକ୍ ଉତ୍ତର । ଦରବୃଦ୍ଧିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ଛାତ୍ର ସଂଗଠନ । ଶୀଘ୍ର ଦର ନିୟନ୍ତ୍ରଣ କରିବା ଦିଗରେ ଯଦି ରାଜ୍ୟ ସରକାର କୌଣସି ପଦକ୍ଷେପ ନନିଅନ୍ତି ତେବେ ଆଗକୁ ଜୋରଦାର ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛି ସଂଗଠନ ।