ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପୁଣି ନବୀନଙ୍କ ଚମକ

ଭୁବନେଶ୍ବର: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପୁଣି ଥରେ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚମକ । ଓଡ଼ିଶାରେ ଚିକିତ୍ସା ପାଇଁ ପକେଟ ଖର୍ଚ୍ଚ କମି ଚାଲିଛି । ୨୦୧୫ରେ ଲୋକଙ୍କ ପକେଟରୁ ସ୍ବାସ୍ଥ୍ୟ ଚିକିତ୍ସା ୭୧ ପ୍ରତିଶତ ଖର୍ଚ୍ଚ ହେଉଥିବା ବେଳେ ୨୦୨୨ ବେଳକୁ ଏହା ଖସି ୩୭ ପ୍ରତିଶତରେ ପହଞ୍ଚିଛି । ୨୦୧୮ରେ ନବୀନଙ୍କ ଶାସନ କାଳରେ  ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆସିବା ଲୋକଙ୍କ ଲାଗି ସାଜିଛି ବରଦାନ । ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଜାତୀୟ ସ୍ବାସ୍ଥ୍ୟ ଆକାଉଣ୍ଟ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ସ୍ପଷ୍ଟ ହୋଇଛି ସଫଳତା ।

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପୁଣି ଥରେ ତତକାଳୀନ ନବୀନ ସରକାରଙ୍କୁ ଶ୍ରେୟ । ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟବାସୀଙ୍କ ପକେଟ ଖର୍ଚ୍ଚ କମିଛି । ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା । ନବୀନ ସରକାରଙ୍କ ଅମଳରେ ବ୍ୟାପକ କାର୍ଯ୍ୟକ୍ରମ ଯୋଗୁଁ ମିଳିଛି ସଫଳତା । ୨୦୧୫ରେ ଚିକିତ୍ସା ବାବଦ ପକେଟ ଖର୍ଚ୍ଚ ୭୧.୫ ପ୍ରତିଶତ ଥିବା ବେଳେ ୨୦୨୨ରେ ଏହା ୩୭ ପ୍ରତିଶତକୁ ଖସି ଆସିଥିଲା । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ବାସ୍ଥ୍ୟ ବାବଦକୁ ପକେଟ ଖର୍ଚ୍ଚ ସବୁଠାରୁ କମ୍ ରହିଛି । ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଜାତୀୟ ସ୍ବାସ୍ଥ୍ୟ ଆକାଉଣ୍ଟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଜଣାପଡ଼ିଛି । ୨୦୧୫ରେ ମୁଣ୍ଡପିଛା ସ୍ବାସ୍ଥ୍ୟ ବାବଦ ଖର୍ଚ୍ଚ ୩୭୬୮ ଟଙ୍କା ଥିବା ବେଳେ ୨୦୨୨ରେ ଏହା ୫୭୪୯ ଟଙ୍କାରେ ପହଞ୍ଚିଥିଲା । ହେଲେ ପକେଟରୁ ଖର୍ଚ୍ଚ ୨୬୯୩ରୁ ୨୧୩୩ ଟଙ୍କାକୁ ଖସିଥିଲା । ୫ ବର୍ଷରେ ରାଜ୍ୟରେ ମୋଟ ଚିକିତ୍ସା ବ୍ୟୟ ୧୬ ହଜାର ୫୭୯ କୋଟିରୁ ବଢି ୨୬ ହଜାର ୪୪୫ କୋଟିକୁ ବୃଦ୍ଧି ପାଇଛି । ସରକାରୀ ସ୍ତରରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟୟବରାଦ ବୃଦ୍ଧି ସାଙ୍ଗକୁ ତତ୍କାଳୀନ ନବୀନ ସରକାରଙ୍କ ବିଏସକେଓ୍ବାଇ ଯୋଜନା ଲୋକଙ୍କ ପାଇ ବରଦାନ ସଦୃଶ ହୋଇଛି ।

୨୦୧୮ରୁ ରାଜ୍ୟରେ ଲାଗୁ ହୋଇଥିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଏହି ଯୋଜନାରେ ରାଜ୍ୟର କୋଟିଏ ପରିବାର ପାଇଁ ସରକାରୀ ଓ ଘରୋଇ ହସ୍ପିଟାଲରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା, ମାଗଣା ଔଷଧ ଓ ବଡ଼ ବଡ଼ ରୋଗ ପାଇଁ ମାଗଣାରେ ସର୍ଜରୀ ସମ୍ଭବ ହୋଇପାରୁଛି । ଏହାବାଦ୍ ଆମ ହସ୍ପିଟାଲ ଯୋଜନାରେ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ହୋଇଛି । କଟକ ଏସସିବି ହସ୍ପିଟାଲକୁ ବିଶ୍ବସ୍ତରୀୟ କରାଯାଉଛି । ୩ଟି ମେଡ଼ିକାଲ କଲେଜରୁ ୧୧ଟି ମେଡ଼ିକାଲ କଲେଜ ହୋଇଛି । କ୍ୟାପିଟାଲ ହସ୍ପିଟାଲର ସଂପ୍ରସାରଣ ହୋଇଥିବାରୁ ରୋଗୀଙ୍କୁ ଚିକିତ୍ସା କ୍ଷେତ୍ରରେ ସୁବିଧା ହେଉଛି ।

ରାଜ୍ୟରେ ଉନ୍ନତ ମାନର ସାର୍ବଜନୀନ ଚିକିତ୍ସା ଉପଲବ୍ଧ ହେଉଥିବାରୁ ଲୋକଙ୍କ ପକେଟ ଖର୍ଚ୍ଚ କମି କମି ଚାଲିଛି । ଆଗକୁ ଏହି ଧାରା ବଜାୟ ରହିଲେ ରାଜ୍ୟର ସ୍ବାସ୍ଥ୍ୟ କ୍ଷେତ୍ରରେ ଆସିବ ଅଧିକ ଉନ୍ନତି ।