ସ୍ପଷ୍ଟ ହେଉଛି ବାତ୍ୟା ଚିତ୍ର: ମଡେଲ ଆକଳନ କହୁଛି, ଓଡ଼ିଶା ମୁହାଁ ବାତ୍ୟା

1 min read

ଭୁବନେଶ୍ବର: ବଢିଲା ବାତ୍ଯା ଭୟ । ଧିରେ ଧିରେ ସ୍ପଷ୍ଟ ହେଉଛି ବାତ୍ଯା ଚିତ୍ର । ଓଡ଼ିଶା-ପଶ୍ଚିମବଙ୍ଗ-ବାଂଲାଦେଶରେ ସ୍ଥଳଭାଗ ଛୁଇଁପାରେ ସମ୍ଭାବ୍ଯ ବାତ୍ଯା । ଅନେକ ଆନ୍ତର୍ଜାତିକ ପାଣିପାଗ ମଡେଲ ଏନେଇ ଆକଳନ କରୁଛନ୍ତି । ଘୂର୍ଣ୍ଣିବଳୟ ସୃଷ୍ଟି ପରେ ବାତ୍ୟାର ଗତିପଥ ଏବଂ ତୀବ୍ରତା ସ୍ପଷ୍ଟ ହେବ । ଚଳିତମାସ ବାତ୍ଯା ପ୍ରବଣ ହୋଇଥିବା ବେଳେ ଆସନ୍ତା ୨୫ ଓ ୨୬ ତାରିଖରେ ପୁଣି ଏକ ବାତ୍ୟା ଓଡିଶା ମୁହାଁ ହେଉଥିବା ବିଭିନ୍ନ ମଡେଲର ଆକଳନରୁ ଜଣାପଡିଛି ।

ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ରହିବା ସହ ରାତିର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହୁଛି । ଏହାସହ ସମୁଦ୍ରର ତାପମାତ୍ରା ୩୦ରୁ ୩୨ ଡିଗ୍ରୀ ରହୁଛି । ଅନ୍ୟାନ୍ୟ ପାଣିପାଗ କାରକ ମଧ୍ୟ ବାତ୍ୟା ସୃଷ୍ଟି ନେଇ ଅନୁକୂଳ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଆଇଏମଡି ବାତ୍ୟା ନେଇ କୌଣସି ଆକଳନ କରିନି ।

୨୦ ତାରିଖରେ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହେବ ଏକ ଘୃର୍ଣ୍ଣିବଳୟ । ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଆହୁରି ଅଧିକ ଘନୀଭୂତ ହେବା ନେଇ ପାଗ ଅନୁକୂଳ ରହିଛି । ଯାହାର ପ୍ରଭାବରେ ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ହେବ ପ୍ରବଳ ବର୍ଷା । ପାଣିପାଗ ବିଭାଗ ସିଷ୍ଟମ ଉପରେ ନଜର ରଖିଛି ।