ମୁଣ୍ଡ ଅପରେସନ କରିବାକୁ ନେଇ ପେଟ କାଟି ଅଙ୍ଗ ତସ୍କରୀ !

1 min read

କନ୍ଧମାଳ: କଟକରେ ଅଙ୍ଗ ତସ୍କରୀ । ଏକ ଘରୋଇ ହସ୍ପିଟାଲ ବିରୋଧରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ଦୁର୍ଘଟଣାରେ ଗୁରୁତର ଜଣେ ରୋଗୀ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ମୁଣ୍ଡ ଅପରେସନ ହେବାର ଥିଲା । ହେଲେ ତାଙ୍କ ମୁଣ୍ଡ ବଦଳରେ ପେଟ ଅପରେସନ କରାଯାଇଛି । ଏପରିକି ଅପରେସନ ପରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଅଙ୍ଗ ତସ୍କରୀ ଅଭିଯୋଗ ପରେ ପୋଲିସ ସମାଧିରୁ ମୃତକଙ୍କ ଶବ ଜବତ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁସାରେ, ମୃତକ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁଦ୍ଧା ପଞ୍ଚାୟତ ଟିକରବାଜୁ ଗାଁର ବାବୁଲା ଦିଗାଲ । ଗତ ୧୩ ତାରିଖ ଦିନ କୌଣସି କାମରେ ବାବୁଲା କଳାହାଣ୍ଡିର ମଦନପୁର-ରାମପୁର ଯିବା ବେଳେ ତୁମୁଡ଼ିବନ୍ଧ ଡଡ଼ଙ୍ଗ ଗାଁ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ତୁମୁଡ଼ିବନ୍ଧ ଡାକ୍ତରଖାନା ଓ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଫୁଲବାଣୀରୁ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ ଡାକ୍ତର । ବାବୁଲାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା କାରଣରୁ ବ୍ରହ୍ମପୁରରୁ ତାଙ୍କୁ ପୁଣି କଟକ ସ୍ଥାନାନ୍ତର କରାଯାଇଥିଲା ।

ହେଲେ କିଛି ଦଲାଲଙ୍କ କଥାରେ ପଡ଼ି ପରିବାର ଲୋକେ ବାବୁଲାଙ୍କୁ ରୁଦ୍ର ନାମକ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଅପରେସନ ପରେ ବାବୁଲାଙ୍କ ଅପରେସନ ସଫଳ ହୋଇଛି କହିଥିଲେ ଡାକ୍ତର । ଅପରେସନ ବାବଦକୁ ନିର୍ଦ୍ଧାରିତ ଟଙ୍କା ଜମା କରିବାର କିଛି ସମୟ ପରେ ବାବୁଲାଙ୍କୁ ମୃତ ଘୋଷଣା କରାଯାଇଥିଲା । ସେଠାରୁ ପରିବାର ଲୋକେ ଏକ ଆମ୍ବୁଲାନ୍ସରେ ଶବ ନିଜ ଗାଁ ଟିକରବାଜୁକୁ ଆଣିବା ପରେ ବାବୁଲାଙ୍କ ପେଟ ଅପରେସନ କରି ସିଲେଇ କରାଯାଇଥିବା ଦେଖିବାକୁ ମିଳିଥିଲା । ତେବେ ମୁଣ୍ଡ ଅପରେସନ କରିବା କଥା କହି ପେଟ କ’ଣ ପାଇଁ ଅପରେସନ କରାଯାଇଛି ବୋଲି ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ବାବୁଲାଙ୍କ ମରଶରୀରକୁ ସମାଧି ଦେବା ପରେ ଗତକାଲି ପରିବାର ଲୋକ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ବାଲିଗୁଡ଼ା ଥାନା ଅଧିକାରୀ ଅନ୍ୟ ପୋଲିସ୍ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଁଚି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରିଥିଲେ । ଉଦ୍ଧାର ଶବକୁ ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ପୋଲିସ୍ । ସେପଟେ ଶବ ବ୍ୟବଚ୍ଛଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି କହିଛନ୍ତି ବାଲିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ।

ଅଭିଯୋଗକୁ ମେଡିକାଲ କର୍ତ୍ତୃପକ୍ଷଙ୍କ ଖଣ୍ଡନ

ସେପଟେ ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ରୁଦ୍ର ହସ୍ପିଟାଲର ମ୍ୟାନେଜର ସୁଶାନ୍ତ ବେହେରା । ସେ କହିଛନ୍ତି, ଗତ ୧୫ ତାରିଖରେ କନ୍ଧମାଳ ଜିଲ୍ଲା ଟିକରବାଲୁ ଅଞ୍ଚଳର  ବାବୁଲା ଡିଗଲ ଆଡମିଶନ ହୋଇଥିଲେ । ତାଙ୍କର ବ୍ରେନ ଅପରେସନ ହୋଇଥିଲା । ଅପରେସନ ସମୟରେ ମୁଣ୍ଡର ଏକ ହାଡ ପେଟ ଭିତରେ ରଖାଯାଇଥିଲା । ମୁଣ୍ଡର ସ୍କଲ ନଷ୍ଟ ନ ହେବା ପାଇଁ ପେଟରେ ରଖା ଯାଇଥିଲା । ହେଲେ ୧୬ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ହେଲେ ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକ ସହଯୋଗ ନକରିବାରୁ ଆମେ ତାଙ୍କୁ ଘରକୁ ପଠେଇ ଦେଇଥିଲୁ । ତାଙ୍କର କୌଣସି ଅଙ୍ଗ ତସ୍କରୀ ହୋଇନାହିଁ ।