ଓଡ଼ିଶାରେ କାର୍ଯ୍ୟକାରୀ ହେବ ଜାତୀୟ ଶିକ୍ଷା ନୀତି-୨୦୨୦

1 min read

ଭୁବନେଶ୍ବର: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଆଜି ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ପୁର୍ନଗଠନ ସହ ୬ଟି ଥିମେଟିକ୍ ସବକମିଟି ଗଠନ କରାଯାଇଛି । ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜାତୀୟ ଶିକ୍ଷା ନୀତି-୨୦୨୦କୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ପୁର୍ନଗଠନ କରାଯାଇଛି । ଏହି ଟାସ୍କଫୋର୍ସରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ, ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ,ଅର୍ଥ ବିଭାଗର ପ୍ରମୁଖ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ସଦସ୍ୟ ଭାବେ ସାମିଲ ହୋଇଛନ୍ତି । ଏହାସହ ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ, କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ପ୍ରମୁଖ ସଚିବ, ଉଚ୍ଚଶିକ୍ଷା ବିଭାଗର ସଚିବ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଭୁବନେଶ୍ୱରସ୍ଥିତ ରିଜିଓନାଲ ଇନଷ୍ଟିଚ୍ୟୁଟ୍ ଅଫ ଏଜୁକେସନର ପ୍ରନ୍ସିପାଲଙ୍କୁ ଏକ୍ସ ଅଫିସୋ ସଦସ୍ୟ ଭାବେ ସାମିଲ କରାଯାଇଛି ।

ଟିଚର୍ସ ଏଜୁକେସନ ଆଣ୍ଡ ଏସସିଇଆରଟି ନିର୍ଦ୍ଦେଶକଙ୍କୁ ଏହି ଜାତୀୟ ଶିକ୍ଷା ନୀତି-୨୦୨୦ର ନୋଡାଲ ଅଫିସର ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କୁ ଆବାହକ ସଦସ୍ୟ ଭାବେ ସାମିଲ କରାଯାଇଛି । ସେହିପରି ଜାତୀୟ ଶିକ୍ଷାନୀତି-୨୦୨୦ର ବିଭିନ୍ନ ଉପାଦାନକୁ ଅନୁଧ୍ୟାନ ପାଇଁ ୬ଟି ଥିମେଟିକ୍ ସବକମିଟି ମଧ୍ୟ ଗଠନ କରାଯାଇଛି । ଏହି ସବ କମିଟିରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ନିର୍ଦ୍ଦେଶାଳୟର ମୁଖ୍ୟଙ୍କ ସମେତ ଶିକ୍ଷା କ୍ଷେତ୍ରର ବିଶେଷଜ୍ଞ ଓ ଶିକ୍ଷାବିତମାନଙ୍କୁ ସାମିଲ କରାଯାଇଛି ।