ଗୋଟିଏ ଏୟାର ଇଣ୍ଡିଆ ଓ ଦୁଇ ଇଣ୍ଡିଗୋ ବିମାନରେ ବୋମା ଖବର ମିଛ

ନୂଆଦିଲ୍ଲୀ: ୧୪ ଅକ୍ଟୋବର । ଭାରତର ୩ଟି ବିମାନରେ ବୋମା ଥିବା ସୂଚନା । ଫ୍ଲାଇଟ୍ ବାତିଲ । ଗୋଟିଏ ଜରୁରୀ ଅବତରଣ କରିଥିବା ବେଳେ ଆଉ ଦୁଇଟିର ଉଡ଼ାଣ ବାତିଲ । ହେଲେ ଏହି ୩ଟି ବିମାନରେ ବୋମା ଥିବା ଖବର ଗୁଜବ ବୋଲି ଜଣାପଡିଛି । ଯାଞ୍ଚ ପରେ କୌଣସି ବିମାନରୁ ବୋମା ଥିବାର ପ୍ରମାଣ ମିଳିନାହିଁ । ହେଲେ ଏହି ଗୁଜବ ଦ୍ବାରା ବିମାନ ଚଳାଚଳରେ ବିଭ୍ରାଟ ଦେଖା ଦେଇଛି । ଶହ ଶହ ବିମାନ ଚଳାଚଳ ପ୍ରଭାବିତ ହୋଇଥିବା ବେଳେ ହଜାର ହଜାର ଯାତ୍ରୀ ହୀନସ୍ତା ହୋଇଛନ୍ତି ।

ଆଜି ସକାଳୁ ପ୍ରଥମେ ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ଖବର ଆସିଥିଲା । ବିମାନଟି ମୁମ୍ବାଇରୁ ଆମେରିକାର ନ୍ୟୁୟର୍କ ଯାଉଥିଲା । ବୋମା ଧମକ ପରେ ବିମାନର ଦିଗ ପରିବର୍ତ୍ତନ କରାଯାଇ ଦିଲ୍ଲୀ ଏୟାରକୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା । ଏହାପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯିବା ପରେ ବିମାନର ଯାଞ୍ଚ ହୋଇଥିଲା । ହେଲେ ଫ୍ଲାଇଟରେ ବୋମା ଥିବାର କୌଣସି ସୂଚନା ମିଳିନାହିଁ ।

ଏୟାର ଇଣ୍ଡିଆ ବିମାନ ପରେ ପରେ ଦୁଇଟି ଇଣ୍ଡିଗୋ ବିମାନରେ ବୋମା ଥିବା ଖବର ଆସିଥିଲା । ଯାହା ଚିନ୍ତାକୁ ଆହୁରି ବଢ଼ାଇ ଦେଇଥିଲା । ଗୋଟିଏ ଇଣ୍ଡିଗୋ ବିମାନ ମୁମ୍ବାଇରୁ ମାସକଟ ଯାଉଥିବା ବେଳେ ଅନ୍ୟଟି ଜେଦାହ ଯିବାର ଥିଲା । ବିମାନ ଦ୍ବୟକୁ ସୁରକ୍ଷିତ ସ୍ଥାନକୁ ନେଇ ଯାଞ୍ଚ କରାଯାଇଥିଲା । ହେଲେ ବିମାନରେ ବୋମା ନଥିବା ଓ ଏହା ଏକ ଗୁଜବ ଥିବା ଯାଞ୍ଚ ପରେ ଜଣାପଡିଥିଲା ।

ତେବେ କିଏ ଓ କାହିଁକି ଏମିତି ମିଛ ପ୍ରଚାର କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରି ଖବର ପଛରେ ଆତଙ୍କବାଦୀ ଲିଙ୍କ ଅଛି କି ? ଯଦି ଅଛି, ଆତଙ୍କବାଦୀ ମିଛ ଗୁଜବ ସୃଷ୍ଟି କରି ଭାରତର ସୁରକ୍ଷା ବ୍ୟବସ୍ଥାକୁ ଦେଖି ଅନ୍ୟ କିଛି ଯୋଜନା କରୁନାହାନ୍ତି ତ ? ଏମିତି ଯୋଜନାକୁ ଭାରତ ସରକାର ଓ ଗୁଇନ୍ଦା ବିଭାଗ ହାଲକା ଭାବେ ନନେଇ, ଗୁଜବ ପଛରେ କାହାର  ହାତ ଅଛି ଓ ଏପରି ଗୁଜବ ସୃଷ୍ଟି କରିବା ପଛର କାରଣ କ’ଣ ଖୋଜି ବାହାର କରିବା ଦରକାର ।