ସିଦ୍ଦିକୀଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ: କହିଲା- ସଲମନ ଖାନ୍ ଆମେ ଏହି ଯୁଦ୍ଧ ଚାହୁଁ ନଥିଲୁ, ହେଲେ…

ମୁମ୍ବାଇ: ବାବା ସିଦ୍ଦିକୀଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ଗ୍ୟାଙ୍ଗର ଜଣେ ସଦସ୍ୟଙ୍କ ପୋଷ୍ଟ ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଭାଇରାଲ ହେଉଛି । ଏହି ପୋଷ୍ଟରେ ଲରେନ୍ସ ଗ୍ୟାଙ୍ଗ ପକ୍ଷରୁ ଲେଖାଯାଇଛି, ଆମେ ସଲମନ ଖାନଙ୍କ ସହ କୌଣସି ଯୁଦ୍ଧ ଚାହୁଁ ନଥିଲୁ । ହେଲେ ବାବାଙ୍କ ହତ୍ୟାର କାରଣ ତାଙ୍କର ଦାଉଦ ଇବ୍ରାହିମ ଏବଂ ଅନୁଜ ଥାପନଙ୍କ ସହ ସମ୍ପର୍କ ଥିଲା ।

ଆଗକୁ ଏଥିରେ ଉଲ୍ଲେଖ ରହିଛି, ଜୀବନର ମୂଲ୍ୟ ବୁଝୁଛି, ଶାରୀର ଓ ଧନକୁ ମୁଁ ଧୂଳି ଭାବୁଛି । କ’ଣ ତାହା ସତକର୍ମ ଥିଲା, ଯାହା ପାଳନ କଲ ବନ୍ଧୁତ୍ବର ଧର୍ମ ଥିଲା ।’

ଏଥିରେ କୁହାଯାଇଛି, ସଲମାନ ଖାନ, ଆମେ ଏହି ଯୁଦ୍ଧ ଚାହୁଁ ନଥିଲୁ । ହେଲେ ତୁମେ ଆମ ଭାଇଙ୍କ କ୍ଷତି ପହଞ୍ଚାଇଲ । ଆଜି ବାବା ସିଦ୍ଦିକୀଙ୍କୁ ନେଇ ସାଧୁତାର ପୋଲ ବନ୍ଧା ଯାଉଛି । ସେ ଅତୀତରେ ଦାଉଦ ସହ ମକୋକା ଆକ୍ଟରେ ଥିଲା । ସିଦ୍ଦିକୀଙ୍କ ମାରିବାର କାରଣ ଅନୁଜ ଥାପନ ଏବଂ ଦାଉଦକୁ ବଲିଉଡ଼, ରାଜନୀତି, ପ୍ରପର୍ଟି ଡିଲିଂରେ ଜୋଡ଼ିବା ଥିଲା ।

ଗ୍ୟାଙ୍ଗ ତରଫରୁ ପୋଷ୍ଟରେ ଆହୁରି ଉଲ୍ଲେଖ କରାଯାଇଛି, ‘ଆମର କାହା ସହ କୌଣସି ଶତ୍ରୁତା ନାହିଁ । ହେଲେ ଯିଏ ବି ସଲମାନ ଖାନ ଏବଂ ଦାଉଦ ଗ୍ୟାଙ୍ଗକୁ ସାହାଯ୍ୟ କରିବ, ନିଜ ହିସାବ କରି ରଖିଥାଅ । ଆମ ଭାଇକୁ କେହି ବି ହତ୍ୟା କରିବ ତ ଆମେ ପ୍ରତିକ୍ରିୟା ନିଶ୍ଚିତ ଦେବୁ ।’ ଏହାପରେ ପୋଷ୍ଟର ତଳକୁ ଜୟ ଶ୍ରୀରାମ, ଜୟ ଭାରତ, ସଲାମ ସହିଦାନୁ… ଉଲ୍ଲେଖ କରାଯାଇଛି ।

ସୂଚନାଯୋଗ୍ୟ, ସିଦ୍ଦିକୀଙ୍କ ହତ୍ୟାରେ ସମ୍ପକ୍ତ ୩ ଜଣ ସୁଟରଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମାଷ୍ଟର ମାଇଣ୍ଡକୁ ଧରିବାକୁ ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛି । ଗ୍ୟାଙ୍ଗ ତରଫରୁ କୁହାଯାଇଛି, ବାବା ସିଦ୍ଦିକୀଙ୍କ କଥିତ ସାଧୁତା ଏକ ଭ୍ରମରୁ ଅଧିକ କିଛି ନଥିଲା ଓ ଅତୀତରେ ଦାଉଦ ଇବ୍ରାହିମ ସହ ମକୋକା ଆକ୍ଟରେ ସାମିଲ ହେବା ଏହାର ପ୍ରମାଣ ।

ସଲମାନ ଓ ଦାଉଦ ଇବ୍ରାହିମ ସହ ଯିଏ ସମ୍ପର୍କ ରଖିବ ତାକୁ ତାହାର ମୂଲ୍ୟ ଦେବାକୁ ପଡ଼ିବ ବୋଲି ଲରେନ୍ସ ଗ୍ୟାଙ୍ଗ ତରଫରୁ ଧମକ ଦେବା ପୋଲିସ ପାଇଁ ନୂଆ ଚ୍ୟାଲେଞ୍ଜ ଛିଡ଼ା କରିଛି ।

ଏହି ମାମଲା ଏବେ ରାଜନୀତି ସହ ବଲିଉଡ଼କୁ ଯୋଡ଼ି ହୋଇସାରିଛି । ଦାଉଦ ଓ ଅନୁଜ ସହ ସିଦ୍ଦିକୀଙ୍କ ଘନିଷ୍ଠିତ ଏହାର କାରଣ । ଆଗକୁ ଦେଖିବାକୁ ବାକି ରହିଲା, ପୋଲିସ ଏହି ମାମଲାକୁ କେମିତି ହ୍ୟାଣ୍ଡଲ କରୁଛି ।