ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ହେଲେ ନୋଏଲ ଟାଟା

ନୂଆଦିଲ୍ଲୀ: ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ନୋଏଲ ଟାଟା । ରତନ ଟାଟାଙ୍କ ବିୟୋଗ ପରେ ନୋଏଲ ଟାଟା ଅଧ୍ୟକ୍ଷ ଭବେ ନିଯୁକ୍ତ ହୋଇଛନ୍ତି । ୪୦ ବର୍ଷର ଅଭିଜ୍ଞତା ଥିବା ନୋଏଲ ସର୍ବସମ୍ମତିରେ ନିଯୁକ୍ତ ହୋଇଛନ୍ତି । ଗତ ୯ତାରିଖ ବିଳମ୍ବିତ ରାତିରେ ଭାରତୀୟ ଶିଳ୍ପ ସାମ୍ରାଜ୍ୟର ବେତାଜ ବାଦଶାହ ରତନ ଟାଟା ଦେହାନ୍ତ ହୋଇଥିଲା । ତାଙ୍କ ବିୟୋଗ ପରେ ଭାରତୀୟ ଶିଳ୍ପ ଜଗତରେ ସୃଷ୍ଟି ହୋଇଛି ଏକ ଅପୂରଣୀୟ କ୍ଷତି ।

ରତନଙ୍କ ପରେ କିଏ ହେବେ ତାଙ୍କ ଉତ୍ତରାଧିକାରୀ ? ଏନେଇ କଳ୍ପନା ଜଳ୍ପନା ଲାଗିରହିଥିବା ବେଳେ ସର୍ବପ୍ରଥମେ ନାମ ଆସିଥିଲା ନୋଏଲ ଟାଟାଙ୍କ ନାମ । ନୋଏଲ ଟାଟା ହେଉଛନ୍ତି ନାଭାଲ ଟାଟାଙ୍କ ଦ୍ୱିତୀୟ ପତ୍ନୀଙ୍କ ପୁଅ । ଟାଟାର ବିଭିନ୍ନ କମ୍ପାନୀର ବୋର୍ଡ ମେମ୍ବର ଅଛନ୍ତି ନୋଏଲ । ନୋଏଲ ଟାଟା ଟାଟା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍, ଭୋଲ୍ଟାଜ ଲିମିଟେଡ୍, ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ୍ ଲିମିଟେଡର ଅଧ୍ଯକ୍ଷ ଓ ଟାଇଟନ୍ କମ୍ପାନୀ ଲିମିଟେଡର ଉପାଧ୍ୟକ୍ଷ ଅଛନ୍ତି ।

ଏହା ପୂର୍ବରୁ ସେ ୧୧ ବର୍ଷ ଧରି ଟ୍ରେଣ୍ଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ୨୦୧୨ ମସିହାରେ ତାଙ୍କୁ ଟ୍ରେଣ୍ଟ ଲିମିଟେଡର ଉପାଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଥିଲା । ତେବେ ଆଜି ଟାଟା ଟ୍ରଷ୍ଟର ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା । ଯେଉଁଥିରେ ଟାଟା ପରବର୍ତ୍ତୀ ଅଧ୍ଯକ୍ଷ ହେବା ନେଇ ମୋହର ବାଜିଥିଲା ।

୬୭ ବର୍ଷୀୟ ନୋଏଲ ଏବେ ଟାଟା ଗ୍ରୁପର ବିଭିନ୍ନ କମ୍ପାନୀରେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳି ଆସୁଛନ୍ତି । ସେ ମଧ୍ଯ ସାର ରତନ ଟାଟା ଓ ସାର ଦୋରାବଜୀ ଟାଟା ଟ୍ରଷ୍ଟର ଟ୍ରଷ୍ଟି ଅଛନ୍ତି । ନୋଏଲଙ୍କୁ ଦାୟିତ୍ବ ପରେ ସେ ହେବେ ସାର ଦୋରବଜୀ ଟାଟା ଟ୍ରଷ୍ଟର ୧୧ତମ ଅଧ୍ଯକ୍ଷ ଓ ସାର ରତନ ଟାଟା ଟ୍ରଷ୍ଟର ଷଷ୍ଠ ଅଧ୍ଯକ୍ଷ । ସାର ଦୋରାବଜୀ ଟାଟା ଟ୍ରଷ୍ଟ ଓ ସାର ରତନ ଟାଟା ଟ୍ରଷ୍ଟ ଟାଟା ଗ୍ରୁପର ଦୁଇଟି ବଡ଼ ଟ୍ରଷ୍ଟ ।