୮୨ ବର୍ଷରେ ପାଦ ଥାପିଲେ ବଲିଉଡ ମହାନାୟକ ଅମିତାଭ ବଚ୍ଚନ

1 min read

ନନ୍ଦିଘୋଷ ବ୍ୟୁରୋ: ହାପି ବାର୍ଥଡେ ବିଗ ବି । ଆଜି ୮୨ ବର୍ଷରେ ପାଦ ଥାପିଲେ ବଲିଉଡ ମହାନାୟକ ଅମିତାଭ ବଚ୍ଚନ । ୧୯୪୨ ମସିହା ଅକ୍ଟୋବର ମାସ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଅମିତାଭ । ସଂଘର୍ଷ, ଉତଥାନ ପତ୍ତନ ଦେଇ ସେ ସଫଳତାର ଶୀର୍ଷରେ ପହଞ୍ଚିଥିବା ମହାନାୟକ ହେଉଛନ୍ତି ବଲିଉଡର ଶେହନଶା ଅମିତାଭ ବଚ୍ଚନ । ୧୯୬୯ରେ ରିଲିଜ ଫିଲ୍ମ ସାତ ହିନ୍ଦୁସ୍ତାନୀରୁ ଆରମ୍ଭ କରିଥିଲେ ଅଭିନୟ ଜୀବନ । ତାପରେ ୨-୩ ଫ୍ଲପ୍ ସିନେମାରେ ନଜର ଆସିଥିଲେ । କାମ ପାଇ ନଥିଲେ ଅମିତାଭ । ଯେତେବେଳେ ବୟସ ୩୦ ହୋଇଥିଲା ସେତେବେଳକୁ ୧୨ଟି ଫିଲ୍ମରେ ଅଭିନୟ କରିଥିଲେ । ସେଥିରୁ ହିଟ୍ ହୋଇଥିଲା ମାତ୍ର ୨ଟି । ଗୋଟିଏ ବମ୍ବେ ଟୁ ଗୋଆ ଓ ଅନ୍ୟଟି ଆନନ୍ଦ ।

ଫିଲ୍ମ ଆନନ୍ଦରେ ତତ୍କାଳୀନ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ସହ ସେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ମିଳିଥିଲା ଫିଲ୍ମ ଫେୟାର ଆଓ୍ଵାର୍ଡ । ଆନନ୍ଦ ପରେ ତାଙ୍କ ଅଭିନୀତ ବମ୍ବେ ଟୁ ଗୋଆକୁ ପସନ୍ଦ କରିଥିଲେ ଦର୍ଶକ । ୧୯୭୩ରେ ରିଲିଜ ଫିଲ୍ମ ଜଞ୍ଜିରରୁ ସଫଳତାର ସିଡି ଚଢ଼ିଥିଲେ ବିଗ୍ ବି । ନିର୍ଦ୍ଦେଶକ ପ୍ରକାଶ ମେହେରାଙ୍କ କ୍ରାଇମ୍ ଥ୍ରୀଲର୍ ଜଞ୍ଜିର ସିନେମାରେ ପୋଲିସ ଇନିସପେକ୍ଟର ବିଜୟ ଭୂମିକାରେ ଅଭିନୟ କରି ବଲିଉଡରେ ଆଙ୍ଗ୍ରି ୟଙ୍ଗମ୍ୟାନ୍ ଧାରା ସୃଷ୍ଟି କରିଥିଲେ । ରାତାରାତି ପାଲଟିଗଲେ ସୁପରଷ୍ଟାର୍ । ଜଞ୍ଜିର ପରେ ଆଉ ପଛକୁ ଫେରି ନାହାନ୍ତି ଅମିତାଭ ବଚ୍ଚନ । ବଲିଉଡକୁ ଦେଇ ଚାଲିଲେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ । ଆଜି ବି ୱାର୍କ ଫ୍ରଣ୍ଟରେ ଆକ୍ଟିଭ ରହିଛନ୍ତି ଅମିତାଭ । ସବୁ ଦିନ ୧୫ ଘଣ୍ଟା ଯାଏ କାମ କରୁଛନ୍ତି ।