ହରିୟାଣାରେ କିଏ ହେବେ ମୁଖ୍ଯମନ୍ତ୍ରୀ? ନାଏବ ସିଂ ସାଇନି ନାଁ ଆଉ କିଏ ?

ନନ୍ଦିଘୋଷ ବ୍ୟୁରୋ: ହରିୟାଣାରେ କିଏ ହେବେ ମୁଖ୍ଯମନ୍ତ୍ରୀ? ବର୍ତ୍ତମାନର ମୁଖ୍ଯମନ୍ତ୍ରୀ ନାଏବ ସିଂ ସାଇନି ନା ଅନ୍ଯ କିଏ ତାହାକୁ ନେଇ ଜାରି ରହିଛି କଳ୍ପନାଜଳ୍ପନା। ଏହା ସହ ଅନ୍ଯ ୨ ଜଣଙ୍କୁ ଉପମୁଖ୍ଯମନ୍ତ୍ରୀ କରାଯିବା ନେଇ ଚର୍ଚ୍ଚା ଚାଲିଛି। ଦେଶର ବିଭିନ୍ନ ରାଜ୍ଯରେ ଜଣେ ମୁଖ୍ଯମନ୍ତ୍ରୀ ଓ ୨ ଉପମୁଖ୍ଯମନ୍ତ୍ରୀ ସଂସ୍କୃତି ବ୍ଯାପୁଥିବାବେଳେ ହରିୟାଣାରେ ବି ଏହି ପ୍ରକ୍ରିୟା ହୋଇପାରେ ବୋଲି କୁହାଯାଉଛି। ଗତକାଲି ସାଇନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଜେ. ପି. ନଡ୍ଡାଙ୍କ ସମେତ ବହୁ ନେତାଙ୍କୁ ସାକ୍ଷାତ କରିଥିଲେ। ବିହାରରେ ବର୍ତ୍ତମାନ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ଉପମୁଖ୍ଯମନ୍ତ୍ରୀ ଅଛନ୍ତି।

ଛତିଶଗଡ଼ରେ ଅରୁଣ ସାଓ ଓ ବିଜୟ ଶର୍ମା, ମଧ୍ଯପ୍ରଦେଶରେ ଜଗଦୀଶ ଦେବତା ଓ ରାଜେନ୍ଦ୍ର ଶୁକ୍ଳା, ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡଣବିସ ଓ ଅଜିତ ପାୱାର, ରାଜସ୍ଥାନରେ ଦିୟା କୁମାରୀ ଓ ପ୍ରେମଚାନ୍ଦ ବାରିୱା, ଉତ୍ତରପ୍ରଦେଶରେ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକ, ଓଡ଼ିଶାରେ କେ.ଭି. ସିଂଦେଓ ଓ ପ୍ରଭାତୀ ପରିଡ଼ା ଉପମୁଖ୍ଯମନ୍ତ୍ରୀ ହୋଇଛନ୍ତି। ଆନ୍ଧ୍ରପ୍ରଦେଶରେ ପୱନ କଲ୍ଯାଣଙ୍କୁ କରାଯାଇଛି ଉପମୁଖ୍ଯମନ୍ତ୍ରୀ।

ଗତ ୨୦୨୪ ଫେବ୍ରୁଆରୀ ୧୨ରେ ଉପମୁଖ୍ଯମନ୍ତ୍ରୀ ନିଯୁକ୍ତି ମାମଲା ନେଇ ଆଗତ ହୋଇଥିବା ଏକ ଜନସ୍ବାର୍ଥ ମାମଲାକୁ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ। ଧାରା ୧୪ ଅନୁସାରେ ଏନେଇ କୌଣସି ଆଇନଗତ ବାଧା ନାହିଁ ବୋଲି କୋର୍ଟ କହିଥିଲେ। ଗତ ୨୦୧୯ରେ ଆନ୍ଧ୍ରପ୍ରଦେଶର ତତକାଳୀନ ମୁଖ୍ଯମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏକାଥରକେ ୫ ଜଣ ଉପମୁଖ୍ଯମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଥିଲେ। ଅତୀତରେ କର୍ଣ୍ଣାଟକର ବିଜେପି  ସରକାର ୩ ଜଣଙ୍କୁ ଉମୁଖ୍ଯମନ୍ତ୍ରୀ କରିଥିଲେ।