ପାସପୋର୍ଟ ଅଫିସ ଭିତରକୁ ପ୍ରବେଶ ଅନୁମତି ନାହିଁ, ଗ୍ରାହକ ହତାଦର

ଭୁବନେଶ୍ବର: ନୟାପଲ୍ଲୀ ପାସପୋର୍ଟ ସେବା କେନ୍ଦ୍ରରେ ଗ୍ରାହକଙ୍କୁ ହତାଦର । ପାସପୋର୍ଟ ସମ୍ପର୍କରେ ବୁଝିବାକୁ ଆସିଲେ ନା ମିଳୁଛି ସଠିକ ଉତ୍ତର ନା ଅଫିସ ଭିତରକୁ ପ୍ରବେଶ ଅନୁମତି । ସୁରକ୍ଷାକର୍ମୀଙ୍କ ଦାଦାଗିରି ଅତିଷ୍ଠ କରୁଛି ପାସପୋର୍ଟ ସେବା ପାଇଁ ଆସିଥିବା ଲୋକଙ୍କୁ ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ଶିଶୁ ଓ ମହିଳାଙ୍କୁ ଗେଟ ବାହାରେ ଖରାତରାରେ ଛିଡା ହେବାକୁ ପଡୁଛି । ୧୦ଟାରୁ ୨ଟା ଯାଏଁ ଇନକ୍ୟୁାରି ସମୟ ଥିଲେ ବି ଅଫିସ ପରିସରକୁ ଲୋକଙ୍କୁ ଛାଡୁ ନାହିଁ ସିକ୍ୟୁରିଟି । ଯେଉଁଥିପାଇଁ ଆଜି କାର୍ଯ୍ୟଳୟ ସାମ୍ନାରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ସମସ୍ତଙ୍କ ଅଭିଯୋଗ, ଏଠି କିଛି ବ୍ୟବସ୍ଥା ନାହିଁ । କେହି କାହା କଥା ଶୁଣୁନାହାଁନ୍ତି । ସୁରକ୍ଷାକର୍ମୀଙ୍କ ଭରସାରେ ଚାଲିଛି ପାସପୋର୍ଟ ସେବା କେନ୍ଦ୍ର । ଗେଟ କାହିଁକି ବନ୍ଦ ଅଛି ତାହାର ବି ସ୍ପଷ୍ଟ ଉତ୍ତର କାହା ପାଖରେ ନାହିଁ । ବୟସ୍କ ଲୋକ ଖରା ତରାରେ ଠିଆ ହୋଇ ଫେରୁଛନ୍ତି, ହେଲେ କେହି କିଛି ଶୁଣିବାକୁ ନାରାଜ ।

ଲୋକଙ୍କ ଅଭିଯୋଗ ଶୁଣିବା ପରେ, ସୁରକ୍ଷା କର୍ମୀ ଏବଂ କାର୍ଯ୍ୟାଳୟର କର୍ମଚାରୀଙ୍କ ସହ ନନ୍ଦିଘୋଷ ଟିମ କଥା ହେବା ପରେ ନିଜର ତ୍ରୁଟି ସୁଧାରିଥିଲେ କର୍ମଚାରୀ । ବହୁ ବାଦବିବାଦ ପରେ ଦୂରଦୁରାନ୍ତରୁ ଆସିଥିବା ଲୋକଙ୍କୁ ଅଫିସ ଭିତରକୁ ଛଡ଼ାଯାଇଥିଲା । ସାମୟିକ ଭାବେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲେ ବି ଏହା ଏକ ନିତିଦିନିଆ ସମସ୍ୟା ହୋଇଥିବାରୁ କର୍ତ୍ତୃପକ୍ଷ ଏଥିପ୍ରତି ନଜର ଦେବା କଥା । ପାସପୋର୍ଟ ସେବା ନାଁରେ କେତେବେଳେ ଦଲାଲ ଲୋକଙ୍କୁ ଠକୁଛନ୍ତି ତ’, ଆଉ କେତେବେଳେ କାର୍ଯ୍ୟାଳୟ କର୍ମଚାରୀମାନେ ଲୋକଙ୍କୁ ଦୁର୍ବ୍ୟବହାର କରିବାର ଅଭିଯୋଗ ଆସୁଛି ।