ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ପୂରିଲା ବର୍ଷେ

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ପୂରିଲା ବର୍ଷେ। ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ଅଚାନକ ଆକ୍ରମଣ କରିବାକୁ ନେଇ ସାରା ମଧ୍ଯପ୍ରାଚ୍ଯରେ ଜଳିଥିଲା ଅଶାନ୍ତିର ନିଆଁ। ସେହିଦିନ ପରଠାରୁ ବଢିବାରେ ଲାଗିଛି ମଧ୍ଯପ୍ରାଚ୍ଯରେ ଯୁଦ୍ଧର ଘନଘଟା। ଗତ ୨୪ ନଭେମ୍ବରରେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ଯରେ ଅସ୍ତ୍ରବିରତି ଘୋଷଣା ହୋଇଥିଲେ ବି ଏହାକୁ କୌଣସି ପକ୍ଷ ମାନିନଥିଲେ। ଫଳରେ ଗତବର୍ଷ ଡିସେମ୍ବରରେ ଗାଜା ଷ୍ଟ୍ରିପରେ ଆରମ୍ଭ ହୋଇଥିଲା ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ।

ହମାସର ପକ୍ଷ ଇରାନ ନେବାରୁ ରକ୍ତମୁଖା ହୋଇଥିଲା ଇସ୍ରାଏଲ। ଏପରିକି ଗତ ଏପ୍ରିଲରେ ସିରିୟା ଡାମାସ୍କସରେ ଇରାନ ଦୂତାବାସ ଉପରେ ଇସ୍ରାଏଲ କରିଥିଲା ଆକ୍ରମଣ। ଏଥିରେ ଇରାନର ବ୍ରିଗେଡିୟର ଜେନେରା ମହମ୍ମଦ ରେଜା ଜାହିଦଙ୍କ ସମେତ ଇସଲାମିକ ରଭଲ୍ଯୁସନାରୀ ଗାର୍ଡ କର୍ପସ କମାଣ୍ଡରଙ୍କ ମୃତ୍ଯୁ ହୋଇଥିଲା। ପ୍ରତିବାଦରେ ଏପ୍ରିଲରେ ଇସ୍ରାଏଲ ଉପରେ ମିସାଇଲ ଆଟାକ କରିଥିଲା ଇରାନ। ଏପରି ଅଶାନ୍ତ ସ୍ଥିତିରେ ଗତ ଜୁଲାଇ ୩୦ରେ ପ୍ରାଣ ହରାଇଥିଲା ହିଜବୁଲ୍ଲା ନେତା ଫୁଆଦ ଶୁକର। ସେହିପରି ଗତ ୩୧ ଜୁଲାଇରେ ଇସ୍ରାଏଲ ଆକ୍ରମଣରେ ତେହରାନରେ ହମାସ ନେତା ଇସମାଇଲ ହାନିୟେଙ୍କ ମୃତ୍ଯୁ ହୋଇଥିଲା।

ହିଜବୁଲ୍ଲା ଲାଗି ସବୁଠାରୁ ବଡ଼ ଧକ୍କା ଆସିଥିଲା ଗତ ୨୭ ସେପ୍ଟେମ୍ବରରେ। ସେହିଦିନ ବେରୁତରେ ହିଜବୁଲ୍ଲା କମାଣ୍ଡର ହସନ ନସରଲ୍ଲା ନିହତ ହୋଇଥିଲେ। ପୁଣି ଥରେ ଗତ ଅକ୍ଟୋବର ୧ରେ ଇସ୍ରାଏଲ ଉପରେ ବଡ଼ ଧରଣର ମିସାଇଲ ଆକ୍ରମଣ କରିଥିଲା ଇରାନ। ଇସ୍ରାଏଲକୁ ସାମରିକ ସହଯୋଗ ଲାଗି ଆମେରିକା କରିଥିଲା ଘୋଷଣା। ପରେ ପରେ ଗତ ଅକ୍ଟୋବର ୩ରେ ଇସ୍ରାଏଲ ହମଲାରେ ପ୍ରାଣ ହରାଇଥିଲେ ହିଜବୁଲ୍ଲାର ନୂଆ ଚିଫ୍ ହୋଶେମ ସଫିଦ୍ଦିନ।

ଗତ ଅକ୍ଟୋବର ୪ରେ ଇରାନ ସୁପ୍ରିମଲିଡର ଆୟାତୋଲ୍ଲା ଖୋମେନେଇଙ୍କ ଉଦବୋଧନ ସାରା ବିଶ୍ବରେ ଖେଳାଇଥିଲା ଚମକ। ଇରାନର ସମସ୍ତ ଶତ୍ରୁଙ୍କୁ ନିପାତ କରିବା ଲାଗି ସେ ଦେଇଥିଲେ ଆହ୍ବାନ। ତେବେ ଏହି ନିଆଁ ଭିତରେ ଘିଅ ଢ଼ାଳିଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ସେ କହିଥିଲେ ଇରାନର ଆଣବିକ ସ୍ଥଳଗୁଡିକ ଉପରେ ଇସ୍ରାଏଲ ହମଲା କରିବା ହେବ ଠିକ୍। ଆକ୍ରମଣ, ପ୍ରତିଆକ୍ରମଣରେ ମଧ୍ଯପ୍ରାଚ୍ଯରେ ନିହତ ହେଲେଣି ସହସ୍ରାଧିକ ଲୋକ। ବିସ୍ଥାପିତ ହେଲେଣି ୨୦ ଲକ୍ଷରୁ ଅଧିକ ଲୋକ। ଇରାନ, ଇରାକ, ସିରିଆ, ଇସ୍ରାଏଲ, ଲେବାନନ, ୟେମେନ ଆଦି ରାଷ୍ଟ୍ରକୁ ବ୍ଯାପିଲାଣି ନିଆଁ। ଜାତିସଂଘ ବସିଛି ନୀରବ।