ହରିୟାଣା ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଚାରର ଶେଷ ଦିନ

1 min read

ନନ୍ଦିଘୋଷ ବ୍ୟୁରୋ: ହରିୟାଣା ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଚାରର ଶେଷ ଦିନ । ହରିୟାଣା ବିଧାନସଭାର ୯୦ ଆସନ ଲାଗି ଅକ୍ଟୋବର ୫ ଗୋଟିଏ ଦିନରେ ହେବ ଭୋଟ । ଅକ୍ଟୋବର ୫ ସନ୍ଧ୍ଯା ସାଢେ ୬ଟା ଯାଏ ଏକଜିଟ ପୋଲ ଉପରେ ନିଷେଧାଦେଶ ଜାରି କରିଛନ୍ତି ନିର୍ବାଚନ କମିଶନ । ଏହି ନିର୍ବାଚନରେ ୬୭ ଜଣ ବିଧାୟକ ମଇଦାନରେ ଅଛନ୍ତି । ୯୦ ଆସନରେ ଭାଗ୍ଯ ପରୀକ୍ଷା କରୁଛନ୍ତି ୧ହଜାର ୨୮ ପ୍ରାର୍ଥୀ । ସେମାନଙ୍କ ମଧ୍ଯରୁ ୧୩୩ ଜଣଙ୍କ ନାମରେ ରହିଛି ଅପରାଧିକ ମାମଲା । ୫୩୮ ଜଣ ପ୍ରାର୍ଥୀ କୋଟିପତି । ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ସମସ୍ତ ଆସନରେ ଏକାକୀ ଲଢୁଛି ବିଜେପି।

ଇଣ୍ଡି ମେଣ୍ଟରେ ସାମିଲ କଂଗ୍ରେସ ଓ ସିପିଏମ। କଂଗ୍ରେସ ୮୯ ଓ ସିପିଏମ ଗୋଟିଏ ଆସନରେ ଲଢୁଛନ୍ତି। ଜନନାୟକ ଜନତା ପାର୍ଟି-JJP ଓ ଆଜାଦ ସମାଜ ପାର୍ଟି-ASP ମଧ୍ଯରେ ହୋଇଛି ମେଣ୍ଟ। ନିର୍ବାଚନରେ ଜେଜେପି ୬୬ ଓ ଏଏସପି ଲଢୁଛି ୧୨ ଆସନରେ। ସେହିପରି ଆଇଏନଏଲଡି ଓ ବିଏସପି ମଧ୍ଯରେ ମେଣ୍ଟ ହୋଇଛି। ଆଇଏନଏଲଡି ୫୧ ଓ ବିଏସପି ୩୫ ଆସନରେ ଲଢୁଛନ୍ତି। ଆମ୍ ଆଦମୀ ପାର୍ଟି ଏକାକୀ ଲଢୁଛି ୮୮ ଆସନରେ। ଏସୟୁସିଆଇ ୮, ସିପିଆଇ ୨, ଏନସିପି(ଏସପି) ଗୋଟିଏରେ ଲଢୁଛନ୍ତି। ସରକାର ଗଠନରେ ଜେଜେପି ହୋଇପାରେ କିଙ୍ଗମେକର।

୨୦୧୯ରେ ବିଜେପି ଓ ଜେଜେପି ମିଶି କରିଥିଲେ ସରକାର ଏବଂ ମନୋହର ଲାଲ ଖଟ୍ଟର ହୋଇଥିଲେ ମୁଖ୍ଯମନ୍ତ୍ରୀ। ଜେଜେପିର ଦୁଶ୍ଯନ୍ତ ଚୌଟାଲା ହୋଇଥିଲେ ଉପମୁଖ୍ଯମନ୍ତ୍ରୀ। ତେବେ ବିଜେପି ସହ ବିବାଦରୁ ଉପମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଦୁଶ୍ଯନ୍ତ। ଗତ ଲୋକସଭା ନିର୍ବାଚନରେ ଭଲ କରିଛି କଂଗ୍ରେସ। ୧୦ ଆସନରୁ ବିଜେପିକୁ ୫  ଓ କଂଗ୍ରେସକୁ ୫ ଆସନ ମିଳିଥିଲା। ୨୦୧୯ରେ ବିଜେପି ୪୦, କଂଗ୍ରେସ ୩୧, ଜେଜେପି ୧୦, ଆଇଏନଏଲଡି ୧ ଆସନ ପାଇଥିଲେ।

ଆଇଏନଏଲଡିର ପ୍ରତିଷ୍ଠାତା ଦେବୀଲାଲଙ୍କ ପୁଅ ଓମ ପ୍ରକାଶ ଚୌଟାଲା ଏବଂ ଓମ ପ୍ରକାଶଙ୍କ ଦୁଇ ପୁଅ ଅଜୟ ଚୌଟାଲା ଓ ଅଭୟ ଚୌଟାଲା। ତେବେ ଅଜୟଙ୍କ ପୁଅ ଦୁଶ୍ଯନ୍ତ ଗଠନ କରିଥିଲେ ଜେଜେପି ଏବଂ ଅଭୟ ଚୌଟାଲା ନେଉଛନ୍ତି ଆଇଏନଏଲଡିର ନେତୃତ୍ବ। ରାଜ୍ଯରେ ଆଇଏନଏଲଡି ନିଜର ପ୍ରଭାବ ହରାଇ ବସିଛି। ରାଜ୍ଯରେ ବେକାରୀ ସମସ୍ଯା ମୁଖ୍ଯ ପ୍ରସଙ୍ଗ ହୋଇଛି। ଏହା ସହ ଚାଷୀଙ୍କ ସମସ୍ଯା ନେଇ ଅଡୁଆରେ ବିଜେପି ରହିଛି। ବିଜେପିରେ କନ୍ଦଳ ଥିବାରୁ ଖଟ୍ଟରଙ୍କୁ ହଟାଇ ନାଏବ ସିଂ ସଇନି ହୋଇଥିଲେ ସିଏମ। ୨୦୦୫ରୁ ୨୦୧୪ମୁଖ୍ଯମନ୍ତ୍ରୀ ଥିଲେ କଂଗ୍ରେସର ଭୂପିନ୍ଦର ସିଂ ହୁଡ୍ଡା। ୨୦୧୪ରୁ ମାର୍ଚ୍ଚ ୨୦୨୪ ଯାଏ ମୁଖ୍ଯମନ୍ତ୍ରୀ ଥିଲେ ବିଜେପିର ମନୋହରଲାଲ ଖଟ୍ଟର। ୨୦୨୪ ମାର୍ଚ୍ଚରୁ ବର୍ତ୍ତମାନ ଯାଏ ମୁଖ୍ଯମନ୍ତ୍ରୀ ଅଛନ୍ତି ନାଏବ ସିଂ ସଇନି।