ଝିଅ ହେଲା ବୋଲି ସ୍ତ୍ରୀକୁ ଘରେ ତାଲା ପକାଇଲେ ସ୍ବାମୀ

ବାଲେଶ୍ବର : ବାଲେଶ୍ବର ରେମୁଣାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଝିଅ ହେଲା ବୋଲି ସ୍ତ୍ରୀକୁ ଘର ଭିତରେ ତାଲା ପକାଇଲେ ସ୍ବାମୀ  । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ମହିଳାଙ୍କୁ ଉଦ୍ଧାର କରିଛି।  ୨୦୧୧ ମସିହାରେ ବସନ୍ତ ସାହୁଙ୍କ ସହିତ ମହିଳାଙ୍କ ବିବାହ ହୋଇଥିଲା । ପରେ ପରେ ସେ ୨ଟି ଝିଅକୁ ଜନ୍ମ ଦେଇଥିଲେ । ଝିଅ ଜନ୍ମକୁ ନେଇ ପରିବାରେ ମହିଳାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା । ଏମିତିକି ଜଣେ ନିକଟ ସମ୍ପର୍କିୟାଙ୍କୁ ଦ୍ବିତୀୟ ବିବାହ କରିବାକୁ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବାକୁ ବସନ୍ତ କୋର୍ଟର ଆଶ୍ରୟ ନେଇଛନ୍ତି । ଗତକାଲି ଏହି ମାମଲାରେ କାଉନସେଲିଂ ପାଇଁ ଉଭୟ ପକ୍ଷଙ୍କୁ ଥାନାକୁ ଡ଼କାଇଥିଲେ । ଥାନାରୁ ଫେରିବା ପରେ ମହିଳାଙ୍କ ସମେତ ଦୁଇ ଝିଅଙ୍କୁ ସ୍ବାମୀ ବସନ୍ତ ସାହୁ ଘର ଭିତରେ ତାଲା ପକାଇଥିବା ଅଭିଯୋଗ ହୋଇଛି । ଗାଁ ଲୋକେ ପ୍ରତିବାଦ କରିବାରୁ ୮ ଘଣ୍ଟା ପରେ ପୋଲିସ ପହଞ୍ଚି ତାଲା ଭାଙ୍ଗି ସୁନୀତା ଓ ଦୁଇ ଝିଅଙ୍କୁ ଉଦ୍ଧାର କରିଛି।