‘ହେରି ପୋଟର’ ଷ୍ଟାର ଡେମ୍ ମେଗି ସ୍ମିଥଙ୍କ ନିଧନ

ନନ୍ଦିଘୋଷ ବ୍ୟୁରୋ: ହଲିଉଡର ଷ୍ଟାର ଡେମ୍ ମେଗି ସ୍ମିଥଙ୍କ ନିଧନ । ୮୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପ୍ରସିଦ୍ଧ ଅଭିନେତ୍ରୀ ଡେମ୍ ମେଗି ସ୍ମିଥ୍ । ‘ହେରି ପୋଟର’ ଫିଲ୍ମରେ ପ୍ରୋଫେସର ମିନର୍ଭା ମ୍ୟାକଗୋନାଗଲ ଚରିତ୍ର ପାଇଁ ସେ ଖୁବ ପ୍ରସଂଶା ସାଉଁଟିଛନ୍ତି । କେବଳ ଏତିକି ନୁହଁ ୧୯୯୬ ମସିହାରେ ଆସିଥିବା ଫିଲ୍ମ ‘ଦ ପ୍ରାଇମ୍ ଅଫ୍ ମିସ୍ ଜିନ୍ ବର୍ଡି’ ପାଇଁ ତାଙ୍କୁ ଓସ୍କାର ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା ।

ଡେମ୍ ମେଗିଙ୍କ ଦୁଇ ପୁଅ କ୍ରିସ୍ ଲାର୍କିନ ଓ ଟୋବି ଷ୍ଟିଫେନ କହିଥିଲେ ଯେ, ଲଣ୍ଡନର ଏକ ଘରୋଇ ଡାକ୍ତରଖାନାରେ ଡେମ ଚିକିତ୍ସାଧୀନ ଅବସ୍ଥାରେ ନିଜ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ନିଧନ ପରେ ସିନେ ପ୍ରେମିଙ୍କ ମନରେ ଶୋକର ଛାୟା ଖେଳିଯାଇଛି।

ଡେମ୍ ମେଗି ସ୍ମିଥ୍ ନିଜ କ୍ୟାରିଅର ଥିଏଟର ଜଗତରୁ ଆରମ୍ଭ କରିଥିଲେ । ୧୯୫୮ ମସିହାରେ ସେ ଏକ ମେଲୋଡ୍ରାମାରେ ନଜର ଆସିଥିଲେ ନାଟକର ଟାଇଟେଲ ରହିଥିଲା ‘ନୋ ହ୍ବେର ଟୁ ଗୋ ’ ଯାହା ଖୁବ ଚର୍ଚ୍ଚା ସାଉଁଟିଥିଲା । ପରବର୍ତ୍ତୀ ସମୟରେ ୧୯୬୩ ମସିହା ଯାଏଁ ତାଙ୍କୁ ନେସନାଲ ଥିଏଟରରେ ଡେସଡେମୋନା ଚରିତ୍ରରେ ଦେଖିବାକୁ ପାଇଥିଲେ ଦର୍ଶକେ ଯାହା ଦୁଇ ବର୍ଷ ପରେ ଅର୍ଥାତ ୧୯୬୫ ମସିହାରେ ଫିଲ୍ମର ରୂପ ନେଇଥିଲା । ଏହି ଫିଲ୍ମରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଓସ୍କାର ପାଇଁ ତାଙ୍କ ନାଁ ଘୋଷଣା କରାଯାଇଥିଲା। ଇଣ୍ଡଷ୍ଟ୍ରି ପାଇଁ ତାଙ୍କ ଅବଦାନ ସବୁବେଳେ ଚିରସ୍ମରଣୀୟ ହୋଇ ରହିବ।