ଦୀର୍ଘ ୪୮ ଘଣ୍ଟା ପରେ କାବୁ ହେଲା ଆତଙ୍କ ରଚାଇଥିବା ଯୁବକ

1 min read

ରାଉରକେଲା : ଦୀର୍ଘ ୪୮ ଘଣ୍ଟା ପରେ କାବୁ ହେଲା ବଣାଇଁ ବଡଜଲ ଉଚ୍ଚ ବିଦ୍ୟାଳୟରେ ଆତଙ୍କ ରଚାଇଥିବା ଯୁବକ । ବହୁ ପରିଶ୍ରମ ପରେ ଯୁବକକୁ କାବୁ କରିଛି ରାଉରକେଲାର ସ୍ଵତନ୍ତ୍ର ପୋଲିସ ଟିମ ଓ ସ୍ବତନ୍ତ୍ର ତାଲିମ ପ୍ରାପ୍ତ DVF  ଟିମ । ଯୁବକକୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି ।  ଗତ ଶନିବାର ଠାରୁ ସୁଦନ ମୁଣ୍ଡା ଓରଫ ଧନୀ ଉଚ୍ଚ ବିଦ୍ୟାଳୟକୁ ଅକ୍ତିଆର କରି ରଖିଥିଲା  ।  ସୁଦନକୁ କାବୁ କରିବା ପାଇଁ ପୋଲିସର ଶତ ଚେଷ୍ଟା ବିଫଳ ହୋଇଥିଲା । ଧରିବାକୁ ଯାଉଥିବା ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ଉପରକୁ  ତୀର, ବାଟୁଳି  ଓ ବିଭିନ୍ନ ମାରଣାସ୍ତ୍ର ମାରୁଥିଲା ସୁଦନ । ତାର ତୀର ମାଡ଼ରେ ଗୁରୁତର ଭାବେ ଆହତ ହୋଇଛନ୍ତି ମହୁଲପଦା ଆଇଆଇସି । ଆଜି ସକାଳୁ ମଧ୍ୟ ଯୁବକର ତୀର ମାଡରେ ଅନ୍ୟ ଜଣେ ପୋଲିସ  କର୍ମଚାରୀ ଗୁରୁତର ହୋଇଛନ୍ତି । ଶେଷରେ ଯୁବକଙ୍କୁ ଧରିବା ପାଇଁ ରାଉରକେଲାରୁ ସ୍ଵତନ୍ତ୍ର ପୋଲିସ ଟିମ ଓ ସ୍ବତନ୍ତ୍ର ତାଲିମ ପ୍ରାପ୍ତ DVF  ଟିମ ଗତକାଲି ରାତିରୁ ମୁତୟନ କରାଯାଇଥିଲା  । ଅଭିଯୁକ୍ତର ଆକ୍ରମଣରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ମଧ୍ୟ ମୁଣ୍ଡ ଫାଟିଥିବା ସୂଚନା ରହିଛି । ସୁଦନ  ୧୦ ପୃଷ୍ଠା ବିଶିଷ୍ଟ ଏକ ଦାବି ପତ୍ର ଛାତ ଉପରୁ ତଳକୁ ପକାଇଥିଲା  । ଏଥିରେ ସେ ବିଭିନ୍ନ ଦାବି ସହ ୧୦୦ କୋଟି ଟଙ୍କା ଦାବି କରିଥିବା ସୂଚନା ରହିଛି ।