ଜଳବନ୍ଦୀ ସମସ୍ୟା ଭୋଗୁଛନ୍ତି ବଲାଙ୍ଗୀର ଗାନ୍ଧୀ ନଗରପଡାବାସୀ

1 min read

ବଲାଙ୍ଗୀର  : ପୂର୍ତ୍ତ ବିଭାଗର ଅବହେଳା ଯୋଗୁଁ ସାମାନ୍ୟ ବର୍ଷା ହେଲେ ଦୁର୍ଦଶା ଭୋଗୁଛନ୍ତି ବଲାଙ୍ଗୀର ସହରର ଗାନ୍ଧୀନଗର ପଡାବାସୀ I ସାମାନ୍ୟ ବର୍ଷା ହେଲେ ଜଳବନ୍ଦୀ ଜୀବନ ବିତାଉଛନ୍ତି I ନା ଘରୁ ବାହାରକୁ ବାହାରି ପାରୁଛନ୍ତି ନା ପିଲାଛୁଆ ପାଠ ପଢିବାକୁ ଯାଇ ପାରୁଛନ୍ତି I ଜବରଦଖଲକାରୀଙ୍କ କବଜାରେ ଡ୍ରେନ । ଫଳରେ ବର୍ଷା ସମୟରେ ନିଷ୍କାସିତ ହୋଇପାରୁନି ପାଣି। ଜଳବନ୍ଦୀ ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ । ଏ ଦୃଶ୍ୟ ବଲାଙ୍ଗୀର ଗାନ୍ଧୀନଗରପଡାର । ଡ୍ରେନରେ ବର୍ଷାଜଳ ନିଷ୍କାସନ ନହୋଇ ରାସ୍ତାରେ ଜମି ରହି   ଘରେ ପସୁଛି I ନବୀନ ସରକାରଙ୍କ ସମୟରେ ଏହି ନାଳ ନିର୍ମାଣ ପାଇଁ ଦେଢ କୋଟି ଟଙ୍କାର ଅନୁଦାନ ଆସିଥିଲା । କିନ୍ତୁ ନୂଆ ସରକାର ଆସିବା ପରେ କାମ ଆରମ୍ଭ ହୋଇନାହିଁ I ପୂର୍ତ୍ତ ବିଭାଗ କାମ ଆରମ୍ଭ କରୁନଥିବା ବେଳେ ଗତକାଲି ସନ୍ଧ୍ୟାରେ ପ୍ରବଳ ବର୍ଷା ହେବାରୁ ରାସ୍ତା ଜଳାର୍ଣ୍ଣବ ହୋଇଥିଲା ।  ଯାହାକୁ ନେଇ ଲୋକେ ରାସ୍ତା ଉପରେ ବସି ପ୍ରତିବାଦ କରିଥିଲେ I ଦୀର୍ଘ ତିନି ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ ଅଞ୍ଚଳବାସୀ ।  ପୋଲିସ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ I ବଲାଙ୍ଗୀର ପୌରାଧ୍ୟକ୍ଷା ମଧ୍ଯ ପହଂଚି ଲୋକଙ୍କ ସହ ଆଲୋଚନା କରିଥିଲେ ସୁଦ୍ଧା ବିଜେପି ସରକାରଙ୍କ ମନମୁଖୀ କାର୍ଯ୍ୟକୁ ଲୋକେ ବିରୋଧ କରି ନାରାବାଜି ଦେଇଥିଲେ  I ବିଳମ୍ବିତ ରାତିରେ ପୂର୍ତ୍ତ ବିଭାଗ ଅଧିକାରୀ ପହଂଚି ଲିଖିତ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା । ତେବେ ସହରର ଏହି ଗୋଟିଏ ଅଞ୍ଚଳ ନୁହଁ ଏଭଳି ଅନେକ ଅଞ୍ଚଳ  ଏଭଳି ସମସ୍ୟାରେ ଜୁଝି ହୋଇଥିବା ଅଭିଯୋଗ ହୋଇଛି ।

ଗାନ୍ଧୀନଗରପଡାରେ ପାଖାପାଖି ଶତାଧିକ ପରିବାର ବସବସ କରୁଛନ୍ତି I ସାମାନ୍ୟ ବର୍ଷା ହେଲେ ଘରୁ ବାହାରିବା ଏମାନଂକ ପାଇଁ ମୁସ୍କିଲ୍ ହୋଇପଡୁଛି I ଘର ଭିତରେ ନର୍ଦ୍ଦମା ପାଣି ପଶି ରହୁଥିବାରୁ ରାତି ଅନିଦ୍ରା ହେବା ସହ କାହାରି ଘରେ ଚୁଲି ମଧ୍ଯ ଜଳୁନାହି I ଏନେଇ ଜିଲ୍ଲା ପ୍ରଶାସନ ଓ ପୂର୍ତ୍ତ ବିଭାଗକୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ଯ ସମସ୍ୟାର ସମାଧାନ ହୋଇନାହିଁ I ଗତକାଲି ସନ୍ଧ୍ୟାରେ ପ୍ରବଳ ବର୍ଷା ହେବା ଫଳରେ ପୁଣି ଏହି ସମସ୍ୟା ଉପୁଜିବା ସହ ଲୋକଙ୍କ ଘରେ ନର୍ଦ୍ଦମା ପାଣି ପଶିଥିଲା ଯାହାଫଳରେ ଲୋକେ ଘରୁ ବାହାରି ବର୍ଷାରେ ଭିଜିଭିଜି ଜାତୀୟ ରାଜପଥ ଅବରୋଧ କରିଥିଲେ I ରାତାରାତି ଜେସିବି ଆଣି ଜମି ରହିଥିବା ପାଣି ନିଷ୍କାସିତ କରିଛି  ଜିଲ୍ଲା ପ୍ରଶାସନ । କିନ୍ତୁ ଲୋକଙ୍କ ଦୁର୍ଦଶା ଏବେବି କମିନି । ଘରେ ଜମି ରହିଛି ନାଳ ନର୍ଦ୍ଦମା ପାଣି I ପୂର୍ତ୍ତ ବିଭାଗର ପ୍ରତିଶ୍ରୁତି ପୁଣି ପାଣିର ଗାର ପାଲଟିବ ନାଁ ସମସ୍ୟା ଦୂର ହେବ ତାଉପରେ ରହିଛି ସମସ୍ତଙ୍କ ନଜର ।