ପାରାଦୀପରେ ଆରମ୍ଭ ଦୁଇ ଦିନିଆ ମିଳିତ ସମରାଭ୍ଯାସ ସାଗର କବଚ-୨

1 min read

ଜଗତସିଂହପୁର: ପାରାଦୀପରେ ଆରମ୍ଭ ଦୁଇ ଦିନିଆ ମିଳିତ ସମରାଭ୍ଯାସ ସାଗର କବଚ-୨ । ୨୬-୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ୟକ ବର୍ଷ ଦୁଇଥର ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ ସାଗର କବଚ। ତେବେ ଚଳିତ ବର୍ଷର ଦ୍ବିତୀୟ ସମରାଭ୍ୟାସ ସାଗର କବଚ-୨ ଦୁଇଦିନ ଧରି ଗଭୀର ସମୁଦ୍ରରେ ଆରମ୍ଭ ହୋଇଛି।

ଏହି ମିଳିତ ସମରାଭ୍ୟାସରେ ଜଳପଥରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀକୁ କିପରି ପ୍ରତିରୋଧ କରାଯାଇପାରିବ ଏହାର ସମସ୍ତ କଳାକୌଶଳ ପ୍ରଦର୍ଶନ କରିବେ ୧୮ ରୁ ଉର୍ଦ୍ଧ୍ବ ବିଭାଗ। ଗଭୀର ସମୁଦ୍ର ରେ ଇଣ୍ଡିଆନ ନ୍ୟାଭି, କୂଳରେ କୋଷ୍ଟଗାର୍ଡ , ମେରାଇନ ପୋଲିସ ଓ ମତ୍ସ୍ଯ ବିଭାଗ ପଇଁତରା ମାରିବା ସହିତ ଅନ୍ୟ ବିଭାଗ ଗୁଡିକ ସ୍ଥଳଭାଗରେ ଉପକୂଳ କୁ ସୁରକ୍ଷା ଯୋଗାଉଛନ୍ତି।

ନୌସେନା, ତଟରକ୍ଷୀବାହିନୀ, ସିଆଇଏସଏଫ, ମତ୍ସ୍ଯବିଭାଗ, ମେରାଇନ ପୋଲିସ, କଷ୍ଟମ ବିଭାଗ, ଅଗ୍ନିଶମ ବିଭାଗ ଓ ଓଡିଶା ପୋଲିସ , ବନ ବିଭାଗ, ପାରାଦ୍ଵୀପ ବନ୍ଦର ପ୍ରଭୃତିକୁ ଦୁଇଟି ବିଭାଗ ରେ ବିଭକ୍ତ କରାଯାଇଛି। ରେଡ ଟିମ ଆତଙ୍କବାଦୀଙ୍କ ରୂପରେ ଜଳପଥରୁ ଆସି ସ୍ଥଳପଥରେ ପ୍ରବେଶ କରି ଆକ୍ରମଣ କରିବାକୁ ଯୋଜନା କରିବେ ଏବଂ ଏହି ଆକ୍ରମଣ ପଣ୍ଡ କରିବା ପାଇଁ ବ୍ଲୁ ଟିମ ସ୍ଥଳଭାଗରେ ପ୍ରତିରୋଧ କରିବା ସହିତ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିବେ ।