ତୃଣମୂଳ ସ୍ତରରୁ ଆହୁରି ସୁଦୃଢ଼ ହେବ ବିଜେଡି, ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ

ଭୁବନେଶ୍ବର: ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ ପଟ୍ଟନାୟକ । ତୃଣମୂଳସ୍ତରରେ ବିଜେଡି ସଂଗଠନକୁ ଅଧିକ ଚଳଚଞ୍ଜଳ କରିବାକୁ ପ୍ରସ୍ତୁତ ହୋଇଛି ରୋଡମ୍ୟାପ୍ । ରାଜ୍ଯରେ ଭୁଶୁଡ଼ି ଥିବା ଆଇନଶୃଙ୍ଖଳା ସ୍ଥିତିକୁ ନେଇ ୧୦୦ ଦିନିଆ ବିଜେପି ସରକାରର ବିଫଳତା ଲୋକଙ୍କୁ କହିବେ ନବୀନ । ଯାହାକୁ ନେଇ ଶାସକ ଦଳ ଛାନିଆ ହୋଇ ପଡ଼ିଥିବା ବେଳେ ବିଜେଡି ଶିବିରରେ ଉତ୍ସାହ ଦେଖାଦେଇଛି ।

ବିଜେଡି ଫୋକସରେ ନବୀନଙ୍କ ଜିଲ୍ଲା ଗସ୍ତ । ନଭେମ୍ବର ପ୍ରଥମ ସପ୍ତାହ ପାଇଁ ପ୍ରସ୍ତୁତି ଶେଷ । ସଂଗଠନକୁ ଚଳଚଞ୍ଚଳ କରିବାକୁ ମାରାଥନ ଅଭିଯାନ । ଏବେଠୁ ଶାସକ ଶିବିରରେ ପଶିଲାଣି ଛାନିଆ । ନଭେମ୍ବର ପ୍ରଥମ ସପ୍ତାହରେ ଜିଲ୍ଲା ବୁଲିବେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏଥିପାଇଁ ବଡ଼ ପ୍ଲାନ କରିଛି ବିଜେଡି । ଶଙ୍ଖଭବନରେ ବିଭିନ୍ନ ଜିଲ୍ଲାର ସମୀକ୍ଷା ସହ ରଣନୀତି ପ୍ରସ୍ତୁତ କରାଯାଉଛି ।  ଜିଲ୍ଲା ଗସ୍ତରେ ଯାଇ ତୃଣମୂଳସ୍ତରରେ ସଂଗଠନକୁ ଅଧିକ ସଂଗଠିତ କରିବା ସହ ଲୋକଙ୍କ ସୁଖଦୁଃଖ ପଚାରି ବୁଝିବେ ନବୀନ । ନବୀନଙ୍କ ଗସ୍ତ ନେଇ ବିଜେଡି ଶିବିରରେ ଭରପୁର ଉତ୍ସାହ ଦେଖିବାକୁ ମିଳିଲାଣି । ଦଳ କହିଛି, ଏବେ ବି ନବୀନ ଓଡ଼ିଶାର ସର୍ବମାନ୍ୟ ନେତା ହୋଇ ଲୋକଙ୍କ ହୃଦୟରେ ରହିଛନ୍ତି । ତାଙ୍କ ଗ୍ରହଣୀୟତା ଆଜି ବି ସବୁ ରାଜନେତାଙ୍କଠାରୁ ଆଗରେ ।

ନବୀନଙ୍କ ୨୪ ବର୍ଷ ଶାସନ ସମୟରେ ବିଶ୍ବରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାଠୁ ଶିକ୍ଷା, ଶିଳ୍ପ, ସ୍ବାସ୍ଥ୍ୟ, ପର୍ଯ୍ୟଟନ, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଦେଶକୁ ବାଟ ଦେଖାଇଛି । ରାଜ୍ଯର ନିରନ୍ତର ବିକାଶ ସହିତ ଆର୍ଥିକ ପରିଚାଳନା ସବୁଠି ପ୍ରଶଂସିତ ହୋଇଛି । ଶାସକ ଦଳ ଭାବେ ବିଜେଡି ଯେପରି ସେବା କରୁଥିଲା ବିରୋଧୀ ଦଳ ଭାବେ ମଧ୍ଯ ଦାୟିତ୍ବ ସଂପାଦନ କରୁଛି । ବିଜେଡି ସୁପ୍ରିମୋଙ୍କ ଜିଲ୍ଲାଗସ୍ତ କାର୍ଯ୍ଯକ୍ରମକୁ ନେଇ ରାଜ୍ଯ ରାଜନୀତି ବି ବେଶ ଚଳଚଞ୍ଚଳ ହେଲାଣି ।

ଗତ ସାଧାରଣ ନିର୍ବାଚନରେ ଶାସକ ଦଳଠୁ ଅଧିକ ଭୋଟ ପାଇଛି ବିଜେଡି । ପୂର୍ବଭଳି ଜନସେବାକୁ ଆଧାର କରି କିଭଳି ଦଳକୁ ଅଧିକ ସଂଗଠିତ କରାଯିବ ସେ ନେଇ ଜିଲ୍ଲା ଗସ୍ତ ବେଳେ ନେତା ଓ କର୍ମୀଙ୍କୁ ଗୁରମନ୍ତ୍ର ଦେବେ ନବୀନ ।