ସେୟାର ବଜାରର ନୂତନ ରେକର୍ଡ, ଇତିହାସରେ ପ୍ରଥମ ଥର ୮୫ ହଜାର ଟପିଲା ସେନସେକ୍ସ ..

ନନ୍ଦିଘୋଷ ବ୍ୟୁରୋ: ସେୟାର ମାର୍କେଟ ପୁଣି ଥରେ ଇତିହାସ ସୃଷ୍ଟି କରିଛି ଏବଂ ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି । ପ୍ରଥମ ଥର ପାଇଁ ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଲା ସେନସେକ୍ସ। ପ୍ରଥମ ଥର ପାଇଁ ୮୫ ହଜାର ଅଙ୍କ ପାର କରିଛି ସେନସେକ୍ସ। ସେହିପରି ନିଫଟି ମଧ୍ୟ ଉପରମୁହାଁ ହୋଇଛି। ଲଗାତାର ତିନିଦିନ ମଧ୍ୟରେ ଉଭୟ ସେନ୍ସେକ୍ସ ଏବଂ ନିଫ୍ଟି ୨ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଆଗାମୀ ଦିନରେ ସେନ୍ସେକ୍ସ ଏବଂ ନିଫ୍ଟି ବୃଦ୍ଧି ପାଇପାରେ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।

ସକାଳ କାରବାର ଆରମ୍ଭ ସମୟରେ ଉଭୟ ସେନ୍ସେକ୍ସ ଏବଂ ନିଫ୍ଟି ଚାପରେ ଥିବାଭଳି ଲାଗୁଥିଲା । କିନ୍ତୁ କିଛି ସମୟ ପରେ ବଜାରରେ ବ୍ୟାପକ କିଣା ଆରମ୍ଭ ହୋଇଥିଲା । ଯାହାଫଳରେ ସୂଚକାଙ୍କ ବୃଦ୍ଧି ପାଇଥିଲା ଏବଂ ଉଭୟ ଏକ୍ସଚେଞ୍ଜ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିଲେ । ସେୟାର ବଜାରରେ ସେନସେକ୍ସ ୧୦୦ ରୁ ଅଧିକ ପଏଣ୍ଟ ବୃଦ୍ଧି ପାଇ ୮୫,୦୫୨.୪୨ ପଏଣ୍ଟରେ ପହଞ୍ଚି ରେକର୍ଡ ସୃଷ୍ଟି କରିଥିଲା । ସକାଳ ୯.୫୫ରେ, ସେନସେକ୍ସ ପ୍ରାୟ ୯୦ ପଏଣ୍ଟ ହାସଲ କରି ୮୫,୦୧୭ ପଏଣ୍ଟରେ କାରବାର କରିଛି। ସେନସେକ୍ସ ପ୍ରଥମ ଥର ପାଇଁ ୮୫ ହଜାର ମାର୍କ ଅତିକ୍ରମ କରିବାରେ ସଫଳ ହୋଇଛି। ଏନ୍ଏସ୍ଇର ନିଫ୍ଟି ୫୦ ଇଣ୍ଡେକ୍ସ ପ୍ରାୟ ୩୩ ପଏଣ୍ଟ ହାସଲ କରି ୨୫,୯୭୫ ପଏଣ୍ଟ ନିକଟରେ ରହିଛି। ତେବେ ଆଜି ସକାଳେ ୮୪ ହଜାର ୭୮୭ ପଏଣ୍ଟରୁ କାରବାର ଆରମ୍ଭ ହୋଇଥିଲା ପରେ ଏହା ପାର୍ କରିଥିଲା ୮୫ ହଜାର ମାର୍କ।

୨୬ ହଜାର ପାର କରିବ ନିଫ୍ଟି ?
ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ମୁଖ୍ୟଙ୍କ ଅନୁଯାୟୀ ନିଫ୍ଟି ମଧ୍ୟ ଏକ ନୂତନ ରେକର୍ଡ ସୃଷ୍ଟି କରୁଥିବା ଜଣାପଡିଛି, କିନ୍ତୁ ଏପର୍ଯ୍ୟନ୍ତ ୨୬ ହଜାର ପଏଣ୍ଟ ସ୍ତର ଅତିକ୍ରମ କରିପାରି ନାହିଁ। ନିଫ୍ଟି ଏବେ ୨୫ହଜାର୯୭୮ ପଏଣ୍ଟରେ ପହଞ୍ଚିଛି । ତେବେ, ସକାଳ ୧୦ଟା୨୫ ରେ, ନିଫ୍ଟି ୨୪ ପଏଣ୍ଟ ବୃଦ୍ଧି ସହିତ ୨୫ହଜାର ୯୬୨ ପଏଣ୍ଟରେ କାରବାର କରୁଛି ।