ଭରତପୁର ଥାନା ନିର୍ଯାତନା: ୨୪ ତାରିଖରେ ରାଜଧାନୀରେ ୬ ଘଣ୍ଟା ଚକଅଖ ବନ୍ଦ କରିବ ବିଜେଡି

ଭୁବନେଶ୍ବର: ଭରତପୁର ଥାନା ନିର୍ଯାତନା ଘଟଣାରେ ଅଧିକ ଉଗ୍ର ହେବ ଆନ୍ଦୋଳନ । ଆସନ୍ତା ୨୪ରେ ଭୁବନେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି । ୬ ଘଣ୍ଟା ଧରି ବନ୍ଦ ରହିବ ଚକଅଖ । ଘଟଣାକୁ ଚପାଇବାକୁ ରାଜ୍ୟ ସରକାରଙ୍କ ଅପଚେଷ୍ଟା ବିରୋଧରେ ବନ୍ଦ ଡାକରା ଦେଇଛି ବିଜେଡି । ସେପଟେ ପୀଡିତାଙ୍କ ଚରିତ୍ର ସଂହାର କରିବାକୁ ଏକପାଖିଆ ଭିଡିଓ ଭାଇରଲ କରାଯାଉଥିବା ନେଇ ରାଜ୍ୟ ସରକାରଙ୍କ ଚକ୍ରାନ୍ତକୁ ବିଜେଡି ନିନ୍ଦା କରିଛି ।

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଯୌନ ଅତ୍ୟାଚାର ବିରୋଧରେ ଆହୁରି ଦୁର୍ବାର ହେବ ଆନ୍ଦୋଳନ । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ବନ୍ଦ ପାଳନ କରିବ ବିଜେଡି । ଗତକାଲି ଏହି ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲାଗି ରାଜଭବନ ଘେରାଉ କରିଥିଲା ମହିଳା ବିଜେଡି । ଭରତପୁର ଥାନାର ବର୍ବରତା ଓ ଅମାନୁଷିକ ଘଟଣା ସାରା ଦେଶରେ ଓଡ଼ିଶାର ମାନସମ୍ମାନ ନଷ୍ଟ କରିଛି । ଘଟଣାର ବିଚାର ବିଭାଗୀୟ ତଦନ୍ତ ବି ଦାବି କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୧୦୦ ଦିନର ସଫଳତା ସହ ପ୍ରଧାନମନ୍ତ୍ରୀଙ୍କ ଜୟନ୍ତୀ ପାଳିବାରେ ବ୍ଯସ୍ତ ବିଜେପି ସରକାର ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ଯମ କରିଥିବା ବିଜେଡି ଅଭିଯୋଗ କରିଛି ।

୧୦୦ ଦିନରେ ଜଣେ କର୍ତ୍ତବ୍ଯରତ ଏଏସଓଙ୍କୁ ରାଜ୍ଯପାଳଙ୍କ ପୁଅ ମାଡ଼ ମାରିଲେ । ୧୦୦ ଦିନ ଶେଷରେ ଭରତପୁର ଘଟଣା ରାଜ୍ଯ ସରକାରଙ୍କ ମୁଖା ଖୋଲିଛି ବୋଲି ବିଜେଡି କହିଛି । ନିର୍ଯାତିତ ବ୍ଯକ୍ତି ନ୍ୟାୟ ଲାଗି ଥାନାକୁ ଯାଇଥାଏ ମାତ୍ର ଭରତପୁରରେ ନିର୍ଯାତନା ପାଇଥିଲେ ପୀଡ଼ିତା । ୧୭ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଥିବାରୁ ଏହି ଘଟଣାକୁ ୨ ଦିନ ଧରି ଚପାଇ ରଖିବାକୁ ଷଡ଼ଯନ୍ତ୍ର ହୋଇଥିଲା ।  ଯଦି ଏହି ଘଟଣାର ସରକାରଙ୍କ ଗୋଚରରେ ନ ଥିଲା ତେବେ କାହିଁକି ୫ ପୋଲିସଙ୍କୁ ସସପେଣ୍ଡ କରାଗଲା ବୋଲି ପ୍ରଶ୍ନ କରିଛି ବିଜେଡି । ଏମ୍ସ ବି କହିଲା ମେଜରଙ୍କ ବାନ୍ଧବୀଙ୍କ ହାଡ଼ ଭାଙ୍ଗିଛି । ଉଚ୍ଚ ନ୍ୟାୟାଳୟ ଜାମିନ ଦେବା ଯାଏଁ ଏହି ଘଟଣା ଲୋକଲୋଚନକୁ ଆସି ନଥିଲା । ହେଲେ ଜାତୀୟ ଗଣମାଧ୍ୟମରେ ଜଣେ ଉଚ୍ଚପଦସ୍ଥ ପୋଲିସ ଅଧିକାରୀ ଭରତପୁର ଥାନାକୁ କ୍ଲିନ ଚିଟ  ଦେବାରୁ ରାଜ୍ୟ ସରକାରଙ୍କ ଷଡଯନ୍ତ୍ରର ବାସ୍ନା ହୋଇଥିଲା ।

ସେପଟେ ପୀଡ଼ିତାଙ୍କ ଭିଡିଓ କିପରି ଭାଇରାଲ ହେଲା ତାହାକୁ ନେଇ ପ୍ରଶ୍ନ କରିଛି ବିଜେଡି । ଏହା ଜରିଆରେ ସରକାରଙ୍କ ସହଯୋଗରେ ପୀଡ଼ିତାଙ୍କ ଚରିତ୍ର ସଂହାର କରାଯାଉଥିବାରୁ କ୍ଷୋଭ ପ୍ରକାଶ କରିଛି ବିଜେଡି । ବାର୍ ଭିତର ଭିଜୁଆଲ କେଉଁଠୁ ଆସିଲା ବୋଲି ବିଜେଡି ପ୍ରଶ୍ନ କରିଛି । ଥାନା ନିର୍ଯାତନା ଘଟଣାରେ ସରକାରଙ୍କ ମୁଖା ଖୋଲିଥିବାରୁ ଭିଡିଓ ଭାଇରାଲ କରାଯାଉଛି । ଏହାକୁ ନେଇ ବିଭିନ୍ନ ମହଲରୁ ଆପତ୍ତି ବି ଉଠିଲାଣି ।

ଭୁବନେଶ୍ୱର ବନ୍ଦରେ ଜରୁରୀକାଳୀନ ସେବାକୁ ବାଧା ଦିଆଯିବ ନାହିଁ । ବନ୍ଦକୁ ସମର୍ଥନ କରି ପୀଡିତାଙ୍କୁ ନ୍ୟାୟ ପାଇଁ ଲଢେଇରେ ସାମିଲ ହେବାକୁ ବିଜେଡି ଆହ୍ୱାନ ଦେଇଛି । ମହିଳା ସଶକ୍ତିକରଣର ରୋଲ ମଡେଲ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଘଟଣାରେ ସବୁବେଳେ ଆପଣାଇଥିଲେ ଜିରୋ ଟଲରାନ୍ସ ନୀତି । ମାତ୍ର ଏହି ନୀତି ଏବେ ଦିବାସ୍ବପ୍ନରେ ପରିଣତ ହୋଇଥିବା ବିଜେଡି କହିଛି ।

ଭରତପୁର ଥାନା ଘଟଣା ଓ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ମାମଲାରେ ରାଜ୍ଯ ସରକାର ସ୍ଥାଣୁ । ଯେଉଁ ଓଡ଼ିଆ ଅସ୍ମିତାର ନାରା ଦେଇ ବିଜେପି ଶାସନକୁ ଆସିଛି ତାହାକୁ ତିଳ ତିଳ ନଷ୍ଟ କରିବାରେ ଲାଗିଛି । ସରକାର କିପରି ଚାଲେ, ସେ ଦିଗରେ ନୂଆ ମୁଖ୍ୟମନ୍ତ୍ରୀ ଅଜ୍ଞ ଥିବା ଚର୍ଚ୍ଚା ହେଉଛି ।