ଉଚ୍ଚଶିକ୍ଷାର ପ୍ରାଣକେନ୍ଦ୍ର ରହିଥିଲା ପୁଷ୍ପଗିରି ବିଶ୍ୱବିଦ୍ୟାଳୟ : ଏବେ ନିଜର ପରିଚୟ ଖୋଜୁଛି

ଯାଜପୁର : ପ୍ରାଚୀନ ଭାରତର ଉଚ୍ଚଶିକ୍ଷାର ପ୍ରାଣକେନ୍ଦ୍ର ରହିଥିଲା ପୁଷ୍ପଗିରି ବିଶ୍ୱବିଦ୍ୟାଳୟ । ସପ୍ତମ ଶତାବ୍ଦୀରେ ଗଢି ଉଠିଥିବା ଏହି ବିଶ୍ୱବିଦ୍ୟାଳୟ ଏବେ ନିଜର ପରିଚୟ ଖୋଜୁଛି। ଲାଙ୍ଗୁଡ଼ି ପାହାଡ଼ଠୁ ଆରମ୍ଭ କରି ହୀରକ ତ୍ରିଭୁଜ କୁହାଯାଉଥିବା ଉଦୟଗିରି, ରତ୍ନଗିରି, ଓ ଲଳିତଗିରି ପାହାଡ଼ରୁ ଉଦ୍ଧାର ହୋଇଥିବା ବୌଦ୍ଧ କୀର୍ତିରାଜି ସାରା ବିଶ୍ୱକୁ ଚକିତ କରିଥିଲା। ଏବେ ଏହି ବିଶ୍ୱବିଦ୍ୟାଳୟର ପୁନଃରୁଦ୍ଧାର ପାଇଁ ଦାବି ହୋଇଛି।

ଇତିହାସକୁ ବଖାଣିଥିଲା ଓ ସାରା ବିଶ୍ୱକୁ ଚକିତ କରିଥିଲା ଯାଜପୁର ଜିଲ୍ଲାର ଉଦୟଗିରି, ରତ୍ନଗିରି, ଲାଙ୍ଗୁଡ଼ି ଓ କଟକ ଜିଲ୍ଲାରେ ଥିବା ଲଳିତଗିରି ପାହାଡ଼ରୁ ଉଦ୍ଧାର ହୋଇଥିବା ବୌଦ୍ଧ କୀର୍ତ୍ତିରାଜି। ପ୍ରାଚୀନ ସ୍ତୁପ ଓ ଅନ୍ୟ କୀର୍ତ୍ତିରାଜିକୁ ନେଇ ଏଠାରେ ଏକ ପ୍ରାଚୀନ ଶିକ୍ଷାକେନ୍ଦ୍ର ଥିବା ସ୍ପଷ୍ଟ ହୋଇଥିଲା। ହୀରକ ତ୍ରିଭୁଜ ଥିଲା ପ୍ରାଚୀନ ଭାରତର ପ୍ରମୁଖ ବିଶ୍ଵବିଦ୍ୟାଳୟ। ଏହା ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ନାମରେ ନାମିତ ହୋଇଥିଲା। ଏଠାରେ ବୌଦ୍ଧ ଶିକ୍ଷା, ସାହିତ୍ୟ, ଦର୍ଶନ, ନ୍ୟାୟ ଓ ଯୋଗ ଶିକ୍ଷା ପ୍ରଦାନ କରାଯାଉଥିଲା। ଦ୍ୱତୀୟ ଶତାବ୍ଦୀରୁ ୧୧ ଶହ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପ୍ରାଚୀନ ଭାରତର ଏହା ଏକ ପ୍ରମୁଖ ଶିକ୍ଷାକେନ୍ଦ୍ର ରହିଥିଲା। ସମୟ କ୍ରମେ ଏହା ବିଲୁପ୍ତ ହୋଇ ଯାଇଛି। ଯାହାର ପୁନଃରୁଦ୍ଧାରର ଆବଶ୍ଯକତା ରହିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ଉଦୟଗିରିରେ ଥିବା ମାଧବପୁର ମହାବିହାର ଓ ସିଂହପ୍ରସ୍ତ ମହାବିହାରରୁ  ଅନେକ ସ୍ତୁପ, ଓ ବୌଦ୍ଧ କୀର୍ତ୍ତିରାଜି ଗୁଡିକ ପୁନଃରୁଦ୍ଧାର ହୋଇଛି। ହେଲେ ଏହାର ସଠିକ ଭାବରେ ରକ୍ଷଣବେକ୍ଷଣ ହୋଇ ପାରୁନି। ଲାଙ୍ଗୁଡ଼ି ପାହାଡ଼ରେ ମଧ୍ୟ ସମାନ ଅବସ୍ଥା। ଏଠାରେ ଅନେକ କୀର୍ତ୍ତିରାଜି ଉଦ୍ଧାର ହୋଇଥିଲେ ସୁଦ୍ଧା ଆହୁରି ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି ।