ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର, ବିଜେପି ନେତାଙ୍କୁ ଛି ଛି…

ଜୟପୁର: ବିଜେପି ନେତାଙ୍କୁ ମହଙ୍ଗା ପଡିଛି ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର । ସୁଭଦ୍ରା ଯୋଜନା ଶୁଭାରମ୍ଭ ବେଳେ ଜୟପୁର ବିଜେପି ନେତା ଗୌତମ ସାମନ୍ତରାଏଙ୍କ ଅଶୋଭନୀୟ ଆଚରଣ ତାଙ୍କ ପାଇଁ ଅଡୁଆ ବଢ଼ାଇଛି । ଗତକାଲି ଗୌତମଙ୍କ ବିରୋଧରେ ଥାନରେ ଏତଲା ଦେଇଥିଲେ ଜୟପୁର ବିଡିଓ । ସେପଟେ ଘଟଣାକୁ ନେଇ ସବୁ ସ୍ତରରେ ଦୃଢ ନିନ୍ଦା କରାଯିବା ସହ ପ୍ରତିବାଦର ସ୍ବର ଉଠିଛି ।

ଆଜି ବିଜେପି ନେତାଙ୍କ ଦାଦାଗିରି ବିରୋଧରେ ଜୟପୁର ବ୍ଲକର ସମସ୍ତ ଜନ ପ୍ରତିନିଧି ଧାରଣା ଦେଇଛନ୍ତି । ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସମେତ ଜିଲ୍ଲା ପରିଷଦ ସଭ୍ୟ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି । ଏପରିକି ସରକାରୀ ଅଧିକାରୀଙ୍କୁ ଅଶୋଭନୀୟ ଆଚରଣ ସହିତ ଦାଦାଗିରି ଦେଖାଇଥିବା ବିଜେପି ନେତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

ଜୟପୁର ବିଡିଓ ଶକ୍ତି ମହାପାତ୍ର ଜଣେ ଯୁବ ଅଫିସର । ସେ ବ୍ଲକ ପାଇଁ ବହୁତ ଭଲ କାମ କରୁଥିବା ବେଳେ ବିଜେପି ନେତାଙ୍କ ଏପରି ଆଚରଣକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ବ୍ଲକ ଉପାଧ୍ୟକ୍ଷ । କିଛି ଗୁଣ୍ଡା ଶ୍ରେଣୀର ବିଜେପି ନେତା ନିଜକୁ ଦେଖାଇ ହେବା ପାଇଁ ଏପରି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରୁଥିବା କହିଛନ୍ତି ବିଧାୟକ ତାରା ପ୍ରସାଦ ବାହିନିପତି । ଜଣେ ସରକାରୀ ଅଧିକାରୀଙ୍କୁ ଏଭଳି ଦୁର୍ବ୍ୟବହାର ବିରୋଧରେ ବିଜେପିର ରାଜ୍ଯ ନେତୃତ୍ବକୁ ଜଣାଇବେ ବାଲି କହିଛନ୍ତି ତାରା । ସେପଟେ ବିଡିଓଙ୍କୁ  ଚିହ୍ନି ନାହାନ୍ତି କି କାହାକୁ କିଛି ଆକ୍ଷେପ କରିନାହାନ୍ତି ବୋଲି କହିଛନ୍ତି ଗୌତମ ସାମନ୍ତରାଏ ।