ଇରାନୀ ସର୍ବୋଚ୍ଚ ଧାର୍ମିକ ନେତା ଖାମେନେଇଙ୍କୁ ଭାରତର ଉତ୍ତର,ପ୍ରଥମେ ନିଜ ରେକର୍ଡ ଦେଖ

1 min read

ନନ୍ଦିଘୋଷ ବ୍ୟୁରୋ: ଇରାନର ସୁପ୍ରିମ ଲିଡରଙ୍କୁ ଭାରତର କଡା ଜବାବ୍ । ସେ ଭାରତ ଉପରେ ଦେଇଥିବା ଟିପ୍ପଣୀକୁ ନେଇ ଭାରତ କ୍ଷୋଭ ପ୍ରକାଶ କରିଛି । ପ୍ରଥରେ ନିଜ ରେକର୍ଡ ଦେଖିବାକୁ ଭାରତ ଅଲି ଖାମେନେଇଙ୍କୁ ଚେତାବନୀ ଦେଇଛି । ଇରାନର ସୁପ୍ରିମ୍ ଲିଡର ଅୟାତୁଲ୍ଲା ଅଲି ଖାମେନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ମୁସଲିମଙ୍କ ଅଧିକାରର ଉଲ୍ଲଂଘନ କରୁଥିବା ଦେଶ ଗୁଡିକ ମଧ୍ୟରେ ଭାରତକୁ ଖାମେନେଇ ସାମିଲ କରିଛନ୍ତି । ଭାରତ ଉପରେ ମୁସଲିମ୍ ଉତ୍ପୀଡ଼ନର ଅଭିଯୋଗ ଆଣିଛନ୍ତି ଖାମେନେଇ । ଖାମେନେଇନିଙ୍କ ଏହି ଟିପ୍ପଣୀ ନିଜ ଉପରେ ଭାରୀ ପଡିଛି । କାରଣ ବର୍ତ୍ତମାନ ଇରାନ ନିଜେ ସୁନି ମୁସଲମାନ ଏବଂ ଜାତିଗତ ଅଳ୍ପସଂଖ୍ୟକ ଦମନକୁ ନେଇ ଲଗାତାର ଅନ୍ତରାଷ୍ଟ୍ରୀୟ ସ୍ତରରେ ସମାଲୋଚନର ସାମନା କରୁଛି ।

ଇରାନର ସୁପ୍ରିମ୍ ଲିଡର ଅୟାତୁଲ୍ଲା ଅଲି ଖାମେନେଇ ସୋସିଆଲ ମିଡିଆ X ରେ ପୋଷ୍ଟ କରି ଭାରତକୁ ଗାଜା ଏବଂ ମିଆଁମାର ସହିତ ତୁଳନା କରିଛନ୍ତି । ଯେଉଁଠାରେ ମୁସଲିମଙ୍କୁ ଉତ୍ପୀଡନର ସାମନା କରିବାକୁ ପଡ଼ୁଛି । ଏହାସହ ସେ ସାରା ଦୁନିଆର ସମୁଲମାନଙ୍କୁ ପୀଡ଼ିତ ମୁସଲମାନଙ୍କ ସୁରକ୍ଷା ପାଇଁ ଏକଜୁଟ୍ ହେବା ପାଇଁ ମଧ୍ୟ ଅପିଲ୍ କରିଛନ୍ତି ।

ଲିଡର ଅୟାତୁଲ୍ଲା ଅଲି ଖାମେନେଇ ବୟାନ ଉପରେ କଡା ଜବାବ ଦେଇଛି ଭାରତ । ଏହାର ଜବାବ ଦେଇ ଭାରତର ବିଦେଶ ମନ୍ତ୍ରାଳୟ ଲେଖିଛି ଯେ, ‘ଆମେ ଇରାନର ସର୍ବୋଚ୍ଚ ନେତା ଦ୍ୱାରା ଭାରତରେ ଅଳ୍ପସଂଖ୍ୟକଙ୍କ ବିଷୟରେ କରାଯାଇଥିବା ଟିପ୍ପଣୀକୁ କଡ଼ା ନିନ୍ଦା କରୁଛୁ । ଏହା ଭୁଲ ସୂଚନା ଉପରେ ଆଧାରିତ ଏବଂ ଗ୍ରହଣୀୟ ନୁହେଁ । ସଂଖ୍ୟାଲଘୁଙ୍କ ଉପରେ ଟିପ୍ପଣୀ କରୁଥିବା ଦେଶକୁ ପରାମର୍ଶ ଦିଆଯାଉଛି ଯେ ସେ ଅନ୍ୟ ଉପରେ କୌଣସି ଟିପ୍ପଣୀ କରିବା ପୂର୍ବରୁ ନିଜ ରେକର୍ଡ ଦେଖୁ ।’

ଭାରତର ମୁସଲମାନଙ୍କୁ ନେଇ ଟିପ୍ପଣୀ ଇରାନର ସୁପ୍ରିମ ଲିଡରଙ୍କ ଦ୍ୱାରା ପ୍ରଥମ ନୁହେଁ । ୨୦୧୯ରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସେ କାଶ୍ମୀର ମୁସଲମାନଙ୍କ ସ୍ଥିତି ଉପରେ ମଧ୍ୟ ସେ ଟିପ୍ପଣୀ କରିଥିଲେ । ଖାମେନେଇ କହିଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କାଶ୍ମୀରକୁ ନେଇ ନିଆଯାଉଥିବା ନିଷ୍ପତ୍ତିରେ ମୁସଲମାନ ଭୟଭୀତ ଅଛନ୍ତି । କୂଟନୈତିକ ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତ ଏବଂ ଇରାନ ମଧ୍ୟରେ ସମ୍ପର୍କ ମଜଭୁତ ରହିଛି । ଏହା ସହିତ ଅନ୍ୟ ରାଷ୍ଟ୍ରଗୁଡିକୁ ମଧ୍ୟ ଭାରତ ସମାଲୋଚନା କରିଛି ଯେଉଁମାନେ ଭାରତରେ ମୁସଲମାନଙ୍କର ସଂଖ୍ୟାଲଘୁ ନେଇ ଟିପ୍ପଣୀ ଦେଇଛନ୍ତି । ଯେଉଁମାନେ ଏହି ପ୍ରସଙ୍ଗ ଉପରେ ମତ ରଖୁଛନ୍ତି ସେମାନଙ୍କୁ ପ୍ରଥମେ ନିଜ ରେକର୍ଡ ଦେଖିବାକୁ ଭାରତ ପରାମର୍ଶ ଦେଇଛି ।