ଅଶୁଭ ରବିବାର; ନେଇଗଲା ୭ ଜୀବନ

1 min read

ମୟୂରଭଞ୍ଜ : ବାରିପଦାର ଦୁଇଟି ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା। ଚାଲିଗଲା ୨ ଜଣଙ୍କ ଜୀବନ। ବାରିପଦା ସହର ଉପକଣ୍ଠ ପାଲବଣି ୧୮ ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ପିଟିଲା ବାଇକ୍। ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଦୁଇ ବାଇକ୍ ଆରୋହୀ ବାରିପଦା ସଦର ଥାନା ଅଧୀନ ସିନ୍ଦୂର ଗୌରା ଗ୍ରାମର ବିକାଶ ମହାନ୍ତ ଓ ହରିଶ୍ଚନ୍ଦ୍ରପୁର ଗ୍ରାମର ମିଟୁ ମହାନ୍ତ ବୋଲି ଜଣାପଡିଛି।

ସେହିପରି ବାରିପଦା ଅମର୍ଦାରୋଡ ରାସ୍ତାର ରଙ୍ଗାମାଟିଆରେ ଭାରସାମ୍ୟ ହରାଇ ବୋଲେରୋ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ ଗଛରେ ପିଟିହୋଇଛି ବୋଲେରୋ। ଦୁର୍ଘଟଣାରେ ବୋଲେରୋରେ ଥିବା ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଆହତ ହୋଇଛନ୍ତି ସମସ୍ତ ଆହତଙ୍କୁ
ପିଆରଏମ ମେଡିକାଲ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ କୁଳିଅଣା ଥାନା ଅଞ୍ଚଳର ବୋଲି ଜଣାପଡିଛି।

ଅନ୍ୟପଟେ ଅଜଣା ବାଇକ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗୀର-ସମ୍ବଲପୁର ରାସ୍ତା ମାଧିଆପାଲି ଛକ ଠାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ବାଇକକୁ ଧକ୍କା ଦେଇ ଫେରାର ମାରିଛି ଅଜଣା ଗାଡି । ମୃତକମାନେ ଛତିଶଗଡର ହୋଇଥିବା ଜଣାପଡିଛି ।

ଅନ୍ୟପଟେ ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ଗାଁ ନିକଟରେ ଟ୍ରକ ଧକ୍କାରେ ଢ଼ାବା ମାଲିକ ଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ସେହି ଗାଁ ର ଶ୍ରୀବତ୍ସ ସାହୁ । ସୂଚନା ଅନୁସାରେ ଶ୍ରୀବତ୍ସ ଗତକାଲି ବିଳମ୍ବିତ ରାତିରେ ନିଜ ଢ଼ାବା ସାମ୍ନାରେ ଜାତୀୟ ରାଜପଥ ପାର ହେଉଥିଲେ । ସେହି ସମୟରେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳ ରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପରିବାର ଲୋକ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପର୍ଯ୍ୟନ୍ତ ଶବକୁ ରାସ୍ତାରେ ରଖି ଅବରୋଧ କରିଥିଲେ । ଖବର ପାଇ ପରଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଶବ ବ୍ୟବଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଡ୍ରାଇଭରକୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।