ବାଲେଶ୍ବର ଜିଲ୍ଲାରେ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

ନନ୍ଦିଘୋଷ ବ୍ୟୁରୋ: ବଢୁଛି ବାଲେଶ୍ବର ଜିଲ୍ଲାର ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା । ପରିସ୍ଥିତି ଏମିତି ହେଲାଣି ଯେ, ଡ଼େଙ୍ଗୁ ରୋଗୀଙ୍କ ପାଇଁ ଥିବା ସ୍ବତନ୍ତ୍ର ଓ୍ବାର୍ଡ଼ରେ ବେଡ଼ ନିଅଣ୍ଟ ପଡ଼ିଲାଣି । ପ୍ରତିଦିନ ୧୨ଟି ବ୍ଲକ୍ ସମେତ ପଡ଼ୋଶୀ ଜିଲ୍ଲା ଓ ରାଜ୍ୟରୁ ଏହି ଡ଼ାକ୍ତରଖାନାକୁ ଜ୍ବରରେ ପିଡ଼ିତ ରୋଗୀ ଆସୁଛନ୍ତି । ହେଲେ ବିଭାଗ କହୁଛି ନିୟମିତ ଚାଲିଛି ସଚେତନତା ଓ ପରିମଳ ବ୍ୟବସ୍ଥା ସମ୍ପର୍କିତ କାର୍ଯ୍ୟକ୍ରମ ।

ରାସ୍ତା ପାଖରେ ରହିଛି ଗାଈ, ଗୋରୁଙ୍କ ପାଇଁ ପାଣିକୁଣ୍ଡ । ହେଲେ ଗାଈ, ଗୋରୁ ତ ପାଣି ପିଉ ନାହାନ୍ତି । ବରଂ କୁଣ୍ଡରେ ପାଣି ଜମି ରହିଥିବାରୁ ସେଥିରେ ଏଡ଼ିସ୍ ମଶା ଅଣ୍ଡା ଦେଇଛନ୍ତି । କୁଣ୍ଡ ପାଖରେ ଦେଖନ୍ତୁ ପଡ଼ିଛି ନଡ଼ିଆ ଖୋଳପା ଆଉ ପୁରୁଣା ଟାୟାର । ଯେଉଁଥିରେ ଦୀର୍ଘଦିନ ଧରି ପାଣି ଜମି ରହିଛି । ଏ ହେଉଛି ବାଲେଶ୍ବର ମେଡ଼ିକାଲ ସାମ୍ନା ରାସ୍ତା ପାଖର ଦୃଶ୍ୟ । ଗାଁ ଗହଳିରେ ମଧ୍ୟ ସମାନ ଅବସ୍ଥା । ଫଳରେ ଲଡ଼ିସ୍ ମାଶା କାମୁଡ଼ିବା ଯୋଗୁ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇ ବାଲେଶ୍ବର ମେଡ଼ିକାଲରେ ପ୍ରତିଦିନ ଭର୍ତ୍ତି ହେଉଛନ୍ତି ୧୫ରୁ ୨୦ ଜଣ ରୋଗୀ । ପରିସ୍ଥିତି ଏମିତି ହେଲାଣି ଯେ, ମେଡ଼ିକାଲର ସ୍ବତନ୍ତ୍ର ଡ଼େଙ୍ଗୁ ୱାର୍ଡ଼ରେ ରୋଗୀଙ୍କ ପାଇଁ ବେଡ ଅଭାବ ପଡ଼ିଲାଣି । ରୋଗୀମାନେ ବେଡ ନପାଇ ବାରଣ୍ଡାରେ ଶୋଉଛନ୍ତି । ଶୁଣନ୍ତୁ କଣ କହୁଛନ୍ତି ରୋଗୀ ।

ବାଲେଶ୍ବର ଜିଲ୍ଳର ୧୨ ଟି ବ୍ଲକ୍ ମଧ୍ୟରୁ ଗତ ଅଗଷ୍ଟ ମାସ ୩୦ ତାରିଖ ସୁଦ୍ଧା ସର୍ବାଧିକ ରେମୁଣା ବ୍ଲକ୍ରେ ୫୦ ଜଣ ଡ଼େଙ୍ଗୁ ପୋଜେଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି। ସର୍ବନିମ୍ନ ସିମୁଳିଆ ବ୍ଲକ୍ରେ ୫ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗ ତରଫରୁ ୪ ହଜାର ୮୯୩ ଟି ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୨୪୨ ଜଣ ରୋଗୀଙ୍କ ପଜିଟିଭ ମିଳିଛି । ସେମାନଙ୍କ ମଧ୍ୟରୁ ବାଲେଶ୍ବର ଜିଲ୍ଲାରୁ ୧୯୬ ଜଣ ଥିବାବେଳେ, ମୟୂରଭଞ୍ଜ ଜିଲ୍ଲାରୁ ୫୭ ଜଣ, ଭଦ୍ରକ ଜିଲ୍ଲାରୁ ୩ ଜଣ ଓ ପଶ୍ଚିମବଙ୍ଗରୁ ୩ ଜଣ ରୋଗୀ ରହିଛନ୍ତି । ବାଲେଶ୍ବର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଡ଼େଙ୍ଗୁ ରୋଗୀଙ୍କ ପାଇଁ ମାତ୍ର ୧୦ଟି ବେଡ଼ ଥିଲା । ରୋଗୀଙ୍କ ସଂଖ୍ୟା ବୃଦ୍ଧି କାରଣରୁ ଏହାକୁ ୩୦କୁ ବୃଦ୍ଧି କରାଯାଇଛି । ହେଲେ ଗତ ୩ ଦିନ ମଧ୍ୟରେ ବାଲେଶ୍ବର ମେଡ଼ିକାଲରେ ୫୬ ଜଣ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।