ରାଜ୍ଯ ବିଜେପିର ନିଷ୍ପତ୍ତିକୁ ମାନୁନାହାନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ !

ନନ୍ଦିଘୋଷ ବ୍ୟୁରୋ: ରାଜ୍ଯ ବିଜେପିର ନିଷ୍ପତ୍ତିକୁ ମାନୁନାହାନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନିଲମ୍ବିତ ନେତାଙ୍କୁ ନେଇ ଆୟୋଜନ କରୁଛନ୍ତି ଦଳୀୟ କାର୍ଯ୍ଯକ୍ରମ । ଗତ ଶନିବାର ଦଳ ବିରୋଧୀ କାର୍ଯ୍ଯ ଓ ଦଳୀୟ ଅନୁଶାସନ ଭଙ୍ଗ ଅଭିଯୋଗରେ ୬ ଜଣଙ୍କୁ ନିଲମ୍ବିତ କରିଥିଲେ ବିଜେପି ରାଜ୍ଯ ସଭାପତି । ସେମାନଙ୍କ ମଧ୍ଯରେ ଥିଲେ ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ନିକୁଞ୍ଜ ପଟ୍ଟନାୟକ ଓ ବିଦ୍ଯୁତ କାଣ୍ଡି । ହେଲେ ଆଜି ଏହି ଉଭୟ ନିଲମ୍ବିତ ନେତାଙ୍କୁ ବିଜେପି ବୈଠକରେ ଦେଖିବାକୁ ମିଳିଛି । ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନେତୃତ୍ବରେ ହୋଇଥିବା ସଦସ୍ଯତା ଅଭିଯାନ ବୈଠକରେ ଏହି ଦୁଇ ନେତା ଉପସ୍ଥିତ ଥିଲେ । ନିଲମ୍ବିତ ନେତାଙ୍କୁ ନେଇ ଅପରାଜିତା କିପରି ଦଳୀୟ ବୈଠକ କଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କିଛିଦିନ ତଳେ ବାଲିଅନ୍ତାରେ ମନ କି ବାତ କାର୍ଯ୍ଯକ୍ରମକୁ ସାଂସଦଙ୍କୁ ଡକାଇଯାଇନଥିବାରୁ ଅପରାଜିତାଙ୍କ ସମର୍ଥକ ତୁମୁଳକାଣ୍ଡ ଘଟାଇଥିଲେ । ପରେ ଏମାନଙ୍କୁ ଦଳରୁ ନିଲମ୍ବିତ କରିଥିଲେ ରାଜ୍ଯ ସଭାପତି ମନମୋହନ ସାମଲ । ହେଲେ ନିଲମ୍ବିତ ନେତାଙ୍କୁ ନେଇ ଦଳୀୟ କାର୍ଯ୍ଯକ୍ରମରେ ସାମିଲ କରି ଅପରାଜିତା ରାଜ୍ଯ ସଂଗଠନକୁ ଚ୍ୟାଲେଞ୍ଜ ଦେଇଥିବା ଆଲୋଚନା ହେଉଛି ।