ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗିରଫ କଲାନି ମଙ୍ଗୋଲିଆ

ନନ୍ଦିଘୋଷ ବ୍ୟୁରୋ: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗିରଫ କଲାନି ମଙ୍ଗୋଲିଆ । ବରଂ ଗାର୍ଡ ଅଫ ଅନର ଦେଇ କରିଛି ଭରପୂର ସ୍ବାଗତ । ୟୁକ୍ରେନ ଆକ୍ରମଣକୁ ନେଇ ଗତବର୍ଷ ଆନ୍ତର୍ଜାତିକ ଅପରାଧୀ କୋର୍ଟ ବା ଆଇସିସି ପକ୍ଷରୁ ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ସତ୍ତ୍ବେ ଆଇସିସି ସଦସ୍ଯ ରାଷ୍ଟ୍ର ମଙ୍ଗୋଲିଆ ଗସ୍ତ କରିଛନ୍ତି ପୁଟିନ । ମଙ୍ଗୋଲିଆ ରାଜଧାନୀ ଉଲାନାବାତାରରେ ପୁଟିନଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର । ଆଇସିସିର ଗିରଫ ପରଓ୍ବାନାକୁ ଫୁ କରି ପୁଟିନ ଏହି ଗସ୍ତ କରିଛନ୍ତି । ସେପଟେ ପୁଟିନଙ୍କୁ ଅଟକ ରଖିବା ଲାଗି ଆହ୍ବାନ ଦେଇଛନ୍ତି ପାଶ୍ଚାତ୍ଯ ରାଷ୍ଟ୍ର, ୟୁକ୍ରେନ ଓ ଅନ୍ଯାନ୍ଯ ମାନବାଧିକାର ସଂଗଠନ । ୟୁକ୍ରେନରୁ ଶିଶୁମାନଙ୍କୁ ବେଆଇନ ଚାଲାଣ କରିବା ଅଭିଯୋଗରେ ପୁଟିନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲା ଆଇସିସି । ସେପଟେ ଯଦି ମଙ୍ଗୋଲିଆ ପୁଟିନଙ୍କୁ ଗିରଫ ନ କରେ ତେବେ ସେପରି କିଛି ଘଟିବାର ସମ୍ଭାବନା ନାହିଁ ବୋଲି କୁହାଯାଇଛି । ଉଭୟ ରୁଷିଆ ଓ ଚୀନ ସହ ମଙ୍ଗୋଲିଆର ଉତ୍ତମ ସମ୍ପର୍କ ରହିଛି । ଏହା ସହ ସୋଭିଏତ କାଳରୁ ବି ରୁଷିଆର ବନ୍ଧୁ ରାଷ୍ଟ୍ର ଭାବେ ମଙ୍ଗୋଲିଆ ଜଣାଶୁଣା । ୧୯୯୧ରେ ସୋଭିଏତ ରୁଷିଆର ପତନ ପରଠାରୁ ଉଭୟ କ୍ରେମଲିନ ଓ ବେଜିଂ ମଧ୍ଯରେ ସୁସମ୍ପର୍କ ରଖିଆସିଛି ମଙ୍ଗୋଲିଆ । ଏପରିକି ୟୁକ୍ରେନ ଉପରେ ଆକ୍ରମଣ ନେଇ ରୁଷିଆକୁ ସମାଲୋଚନା କରି ନଥିଲା ମଙ୍ଗୋଲିଆ । ଏହା ସହ ଜାତିସଂଘରେ ରୁଷିଆ ବିରୋଧୀ ଭୋଟରେ ବି ମଙ୍ଗୋଲିଆ ବିରତ ରହିଥିଲା । ଗତ ୨୦୨୩ ମାର୍ଚ୍ଚରେ ପୁଟିନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲା ଆଇସିସି । ଅଭିଯୋଗ ଅନୁସାରେ ୟୁକ୍ରେନରୁ ହଜାର ହଜାର ଶିଶୁଙ୍କୁ ରୁଷିଆ ନିଜ ଦେଶକୁ ନେଇଯାଉଛି । ସେପଟେ କ୍ରେମଲିନ କହୁଛି ୟୁକ୍ରେନର ଯେଉଁ ଅଞ୍ଚଳକୁ ରୁଷିଆ କବଜା କରୁଛି ସେହି ଅଞ୍ଚଳର ଶିଶୁଙ୍କ ସୁରକ୍ଷା ଲାଗି ସେମାନଙ୍କୁ ରୁଷିଆ ନିଆଯାଉଛି । ବଡ଼କଥା ହେଉଛି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁଙ୍କ ବିରୋଧରେ ଆଇସିସି ଯେଉଁ ଗିରଫ ପରଓ୍ବାନା ଜାରି କରିଥିଲା ତାହାକୁ ସମର୍ଥନ କରିଥିବା ୯୩ଟି ରାଷ୍ଟ୍ର ମଧ୍ଯରେ ଥିଲା ମଙ୍ଗୋଲିଆ ।