ଲକ୍ଷାଧିକ କୋଟି ଟିକସ ଆଦାୟ ହେଉଥିଲେ ବି କାହିଁକି ବଢୁଛି ବିତ୍ତୀୟ ନିଅଣ୍ଟ ?

ଭୁବନେଶ୍ବର: ଲକ୍ଷାଧିକ କୋଟି ଟିକସ ଆଦାୟ ହେଉଛି । ହେଲେ ଦେଶରେ ବଢୁଛି ବିତ୍ତୀୟ ନିଅଣ୍ଟ । ସାଢ଼େ ୪ ପ୍ରତିଶତ ବଦଳରେ କେନ୍ଦ୍ର ସରକାରଙ୍କ ଗତ ଜୁଲାଇ ସୁଦ୍ଧା ବିତ୍ତୀୟ ନିଅଣ୍ଟ ଆସି ପହଞ୍ଚିଲାଣି ୧୭.୨ ପ୍ରତିଶତରେ । ବେରୋଜଗାରୀ ଓ ଦରଦାମ ଚରମ ସୀମାରେ ପହଞ୍ଚିଥିବାରୁ ଲୋକେ ହେଉଛନ୍ତି ହନ୍ତସନ୍ତ । ସେପଟେ ଓଡ଼ିଶାରେ ନବୀନ ସରକାରଙ୍କ ୨୪ ବର୍ଷ ଶାସନରେ ଋଣ ହୋଇଥିଲା ୭୮ ହଜାର କୋଟି । ଋଣଗ୍ରସ୍ତ ରାଜ୍ୟ ଭାବେ ଦେଶରେ ସବୁଠୁ କମ ଋଣ ନେଇଥିଲା ଓଡ଼ିଶା । ହେଲେ ବିଜେପି ସରକାର ଆସୁଆସୁ ପ୍ରଥମ ବର୍ଷରେ ଋଣ କଲେଣି ୪୫ ହଜାର କୋଟି । ଏପରି ସ୍ଥିତିରେ ଦେଶ ଓ ରାଜ୍ୟର ଆର୍ଥିକ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଶେଷଜ୍ଞ ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ବିତ୍ତୀୟ ନିଅଣ୍ଟ ସାଢେ ୪ ପ୍ରତିଶତ ରହିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ । ହେଲେ ଅଭିବୃଦ୍ଧି ରିପୋର୍ଟ ଦେଖିଲେ ଜଣାପଡ଼ିଛି, ବିତ୍ତୀୟ ନିଅଣ୍ଟ ପରିମାଣ ଆର୍ଥିକ ବର୍ଷ ଆରମ୍ଭରୁ ୪ ଗୁଣ ବଢିଛି । ଗଲା ଜୁଲାଇ ସୁଦ୍ଧା ଦେଶର ବିତ୍ତୀୟ ନିଅଣ୍ଟ ୧୭.୨ ପ୍ରତିଶତରେ ପହଞ୍ଚିଛି । ଏଠି ପ୍ରଶ୍ନ ଉଠୁଛି, ଆଦାୟ ହେଉଥିବା ଲକ୍ଷାଧିକ କୋଟି ରାଜସ୍ବ ଯାଉଛି କୁଆଡ଼େ ? ଦେଶର ଅର୍ଥନୀତି ପାଇଁ ଏପରି ଅବସ୍ଥା ଆଦୌ ଶୁଭଙ୍କର ନୁହେଁ । ଦେଶରେ ବେରୋଜଗାରୀ ଚରମ ସୀମାରେ ପହଞ୍ଚିଛି । ଦରଦାମ ବୃଦ୍ଧି ଯୋଗୁଁ ବଜାର ମାନ୍ଦା । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଅର୍ଥନୀତି ସମୀକ୍ଷକ । ଯାହା ଲାଗୁଛି କେନ୍ଦ୍ରକୁ ଅନୁସରଣ କରୁଛି ରାଜ୍ଯ । କାରଣ ଋଣଭାରରେ ବି କେନ୍ଦ୍ର ସରକାର ବୁଡିଲେଣି । ପୂର୍ବ ନବୀନ ସରକାରଙ୍କ ୨୪ ବର୍ଷ ଭିତରେ ଓଡ଼ିଶା କରିଥିଲା ୭୮ ହଜାର କୋଟି ଋଣ । ସବୁ ବର୍ଗର ଲୋକଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ହୋଇଥିଲା ଯୋଜନା । ଆଉ ବିକଶିତ ଓଡ଼ିଶା ଗଠନର ଦ୍ବାହି ଦେଇ କ୍ଷମତାକୁ ଆସିଲା ବିଜେପି । କ୍ଷମତା ଦଖଲର ପ୍ରଥମ ବର୍ଷ ଖୋଲା ବଜାରରୁ ମୋହନ ସରକାର ଋଣ କରିବାକୁ ଯାଉଛନ୍ତି ୪୫ ହଜାର କୋଟି ।

ବେରୋଜଗାରୀ ଦେଶରେ ଉତ୍କଟ ରୂପ ନେଲାଣି । ଜଳବାୟୁ ପରିବର୍ତ୍ତନ ଯୋଗୁଁ କୃଷି ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଏଭଳି ସ୍ଥିତିରେ ଦରଦାମ ବୃଦ୍ଧି ଲୋକଙ୍କୁ ଆର୍ଥିକ ଦୁଃସ୍ଥିତି ଭିତରକୁ ଠେଲି ଦେଲାଣି । ଲୋକଙ୍କ ମୁଣ୍ଡପିଛା ଆୟ ମଧ୍ୟ କମି ଚାଲିଛି । ଓଡ଼ିଶାରେ ବି ସମାନ ସ୍ଥିତି । ଋଣ କରି ଭିତ୍ତିଭୂମି ବିକାଶ କଲେ କିଛି ଅସୁବିଧା ନାହିଁ । କିନ୍ତୁ ଲୋକପ୍ରିୟ ହେବାକୁ ଯଦି ଋଣ କରି କେବଳ ରାଜନୈତିକ ଫାଇଦା ପାଇଁ ସହାୟତା ପ୍ରଦାନ କରାଯିବ ତା’ହେଲେ ସେଥିରେ ରାଜ୍ୟର ଋଣଭାର ବୃଦ୍ଧି ପାଇବ ହିଁ ପାଇବ । ବରିଷ୍ଠ ଅର୍ଥନୀତିଜ୍ଞ ମତରେ ଚଳିତ ଥର ପ୍ରଥମ କରି କେନ୍ଦ୍ର ସରକାର ସବୁ ରାଜ୍ୟକୁ ବାର୍ଷିକ ଦେଢ଼ ଲକ୍ଷ କୋଟି ଋଣ ପ୍ରଦାନ କରିବେ ବୋଲି ବଜେଟରେ ଘୋଷଣା କରିଛନ୍ତି । ସେଥିରୁ ୫୦ ହଜାର କୋଟି ବିନା ସୁଧରେ ଋଣ ପ୍ରଦାନ କରାଯିବ । ବାକି ୧ ଲକ୍ଷ ଟଙ୍କାର ଋଣ ପାଇଁ ରାଜ୍ୟ ଭିତ୍ତିଭୂମି ବିକାଶ କଲେ ୫୦ ବର୍ଷ ଭିତରେ କେନ୍ଦ୍ରକୁ ଅଳ୍ପ ସୁଧରେ ଫେରସ୍ତ କରିବ । ହେଲେ ରାଜ୍ୟମାନେ ଯଦି ଏହି ଟଙ୍କା ଖର୍ଚ୍ଚ କରିବା ପାଇଁ ବିସ୍ତୃତ ପ୍ଲାନ୍ ପ୍ରସ୍ତୁତ କରି ନଥିବେ ତା’ହେଲେ ଏହି ଅର୍ଥ ଖର୍ଚ୍ଚର ସୁଫଳ ତତ୍କାଳ ଲୋକେ ପାଇବେ ନାହିଁ ।

ଗତ ଶନିବାର ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ବାର୍ଟର ଅଭିବୃଦ୍ଧି ରିପୋର୍ଟ ଘୋଷଣା କଲେ କେନ୍ଦ୍ର ସରକାର । ଅଭିବୃଦ୍ଧି ୬.୭ ପ୍ରତିଶତରେ ସୀମିତ ରହିଲା । ବିଶେଷଜ୍ଞ ଆକଳନ ବେରୋଜଗାରୀ ଓ ଦରଦାମ ବୃଦ୍ଧି ଯୋଗୁଁ ଆଗାମୀ ତ୍ରୟମାସିକରେ ଏହି ଅଭିବୃଦ୍ଧି ସମାନ ରହିପାରେ ।