ବିଜେପି ‘ସୁଭଦ୍ରା’ ନାଁରେ ମାଆମାନଙ୍କୁ ପ୍ରତାରିତ କରିଛି: ବିଜେଡି

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବିଜେପିକୁ ଆଇନା ଦେଖାଇଲା ବିଜେଡି । ନିର୍ବାଚନ ସମୟରେ ବିଜେପି ଯାହା କହିଥିଲା, ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ବିଜେପିକୁ ମନେ ପକାଇ ଦେଇଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ନିର୍ବାଚନ ବେଳେ ସଂକଳ୍ପ ପତ୍ରରେ ବିଜେପି ସ୍ପଷ୍ଟ ଭାବେ କହିଥିଲା ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବୁ । ଏହାର ଅବଧି ରହିବ ୨ ବର୍ଷ । ହେଲେ ବର୍ତ୍ତମାନ ଓଲଟା କଥା କହୁଛନ୍ତି । ଏମିତି ଗାଇଡଲାଇନ୍ କରାଯାଇଛି ଯେ, ବହୁ ମହିଳା ବାଦ୍ ପଡୁଛନ୍ତି । ଏହାସହ ୫ ବର୍ଷରେ ଯାଇ ୫୦ ହଜାର ଟଙ୍କା ମିଳିବ । ଏହା ବିଜେପିର ପ୍ରତାରଣା ।

ସେ ଆଗକୁ କହିଛନ୍ତି, ମାଆମାନଙ୍କୁ ଆଶା ଦେଲେ, ଏବେ ଠକୁଛନ୍ତି । ପ୍ରତିଶ୍ରୁତି ସହିତ ବାସ୍ତବତାର କିଛି ସମ୍ପର୍କ ନାହିଁ । ଏଇଟା କ’ଣ, ନିର୍ବାଚନୀ ଚଞ୍ଚକତା ନା ବିଜେପିର ଆଉ ଏକ ଜୁମଲା ?

ମହିଳାହେଉଛନ୍ତି ଦୁର୍ଗା, କାଳି, ସରସ୍ଵତୀଙ୍କ ରୂପ । ସେମାନଙ୍କୁ ଠକିଥିବାରୁ ମାଆମାନେ ଉଚିତ ଜବାବ ଦେବେ । ସେଥିରେ ପୁଣି ୨୧ ବର୍ଷ ବା ତା’ଠାରୁ ଅଧିକ ବୟସର ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯାଉଛି । କିନ୍ତୁ ଦେଖିବାକୁ ଗଲେ ୧୮ରୁ ୨୧ ବର୍ଷ ହେଉଛି ମହିଳାଙ୍କ ଗୁରୁତ୍ଵପୂର୍ଣ୍ଣ ସମୟ । ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ବାର୍ତ୍ତା ମଧ୍ୟରେ କୌଣସି ତାଳମେଳ ରହୁନାହିଁ । ୬୦ରୁ ୮୦  ବର୍ଷର ମହିଳାଙ୍କୁ ସାମିଲ କରାଯାଇନାହିଁ । ସେମାନେ କ’ଣ ବିଜେପିକୁ ଭୋଟ ଦେଇ ନଥିଲେ କି ? କାହିଁକି ସେମାନଙ୍କୁ ସାମିଲ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି ସ୍ନେହାଙ୍ଗିନୀ ।

ଏହାସହ ସ୍ନେହାଙ୍ଗିନୀ ଦାବି କରିଛନ୍ତି, ତୁରନ୍ତ ସୁଭଦ୍ରା ଗାଇଡଲାଇନ୍ ବଦଳାଅ, ତା’ପରେ ଶୁଭାରମ୍ଭ କରିବ । ନ ହେଲେ ଆନ୍ଦୋଳନକୁ ଓହ୍ଲାଇବୁ ।